ଆଟେଣ୍ଡାନ୍ସ ଖାତାରେ ପୂର୍ବତନ ବିଧାୟକଙ୍କ ନାମ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ପ୍ରଥମଥର ବିଧାୟକ ହୋଇଛନ୍ତି। ଯେତେବେଳେ ବିଧାନସଭାର ଅଧିବେଶନରେ ଯୋଗ ଦେବାକୁ ଆସୁଛନ୍ତି ବିଧାୟକଙ୍କ ଅଟେଣ୍ଡାନ୍ସ ଖାତାରେ ରହିଛି ପୂର୍ବତନ ବିଧାୟକଙ୍କ ନାମ। ଥରେ ନୁହେଁ କି ଦୁଇ ଥର ନୁହେଁ ୩ ଥର ଏଭଳି ଅଜବ ଅବସ୍ଥା ଦେଖି ସେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ବିଧାନସଭା ଅଧିବେଶନ ବେଳେ ଯେତେବେଳେ ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ ଯାଉଛି ସେତେବେଳେ ସେଠାରେ ପୂର୍ବତନ ବିଧାୟକଙ୍କ ନାମ ଲେଖା ହୋଇଛି। ଏହା ବିଧାୟକଙ୍କ ପ୍ରତି ଅପମାନ ନୁହେଁ କି ବୋଲି ସେ ପ୍ରଶ୍ନ କରିଥିଲେ। ବାରମ୍ବାର ଏଭଳି କରାଯାଉଛି ବୋଲି ସେ ଅଭିଯୋଗ ଆଣିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଶ୍ୱାସନା ଦେଇ କହିଥିଲେ ଯେ ଆଉ ସେ ଭୁଲ ହେବ ନାହିଁ। ବିଧାନସଭା ସଚିବଙ୍କୁ ଏ ନେଇ ନିର୍ଦ୍ଦେଶ ଦେବି ବୋଲି କହିଥିଲେ।