ଆଜି ୫ ଜିଲାରେ ବର୍ଷିବ

ଭୁବନେଶ୍ୱର, ୧୨।୭(ବ୍ୟୁରୋ):ରାଜ୍ୟରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୋମବାର ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ସହିତ ବଜ୍ରପାତ ହେବ। କିନ୍ତୁ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୫ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମଙ୍ଗଳବାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର, ବୁଧବାର ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସେପଟେ ରବିବାର ଦାରିଙ୍ଗବାଡ଼ିରେ ସର୍ବାଧିକ ୨୦ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ହୀରାକୁଦରେ ୧୫, ପାରାଦୀପ ୧୪, ଭୁବନେଶ୍ୱର ୧୨.୭, ବାରିପଦା, କଟକ ୧୦.୨, ଅନୁଗୋଳରେ ୧୦ ମି.ମି. ବର୍ଷା ହୋଇଛି। ଏହାଛଡ଼ା ତାଳଚେର, ସୁନ୍ଦରଗଡ଼, ମାଲକାନଗିରି, ନୟାଗଡ଼ରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।