ଆଜି ହେରାପଞ୍ଚମୀ : ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ ରଥ

ପୁରୀ ଅଫିସ,୮।୭: ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କୁ ଛାଡ଼ିି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି। ତାଙ୍କୁ ସାଙ୍ଗରେ ଆଣି ନ ଥିବାରୁ ଅଭିମାନରେ ରହିଛନ୍ତି ଶ୍ରୀଦେବୀ। ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ସେ ଗୁଣ୍ଡିଚା ମନ୍ଦିର ଆସନ୍ତି। ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି କହନ୍ତି। ଏଥିରେ ରାଗିଯାଇ ଫେରିଲା ବେଳେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ। ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ। ସୋମବାର ପାଳିତ ହେବ ଏହି ନୀତି। ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଭୋର ୪ଟାରେ ଦ୍ୱାର ଫିଟା ଯାଇ ୫ଟା ସୁଦ୍ଧା ମଙ୍ଗଳ ଆଳତି ବଢିବ। ମଇଲମ, ତଡ଼ପଲାଗି ନୀତି ବଢି ସକାଳ ୬ଟାରେ ଅବକାଶ ନୀତି ସମ୍ପନ୍ନ ହେବ। ସକାଳ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୋଇ ଠାକୁରଙ୍କ ବେଶ ବଢ଼ିବ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ ଏବଂ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ବଢ଼ିବ। ଏହାପରେ ମହାପ୍ରଭୁଙ୍କ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ। ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ବଢ଼ି ଅପରାହ୍ନ ୫ଟା ୩୦ ସୁଦ୍ଧା ଦ୍ୱିତୀୟ ଭୋଗ ମଣ୍ଡପ ବଢିବ। ଏହାପରେ ମଇଲମ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ବାଡ଼ରେ ମହାସ୍ନାନ, ତିନିବାଡ଼ରେ ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ଏବଂ ଅଳଙ୍କାର ଲାଗି ହୋଇ ଠାକୁରଙ୍କ ବେଶ ହେବ। ପରେ ସନ୍ଧ୍ୟାଧୂପ ହେବ। ସନ୍ଧ୍ୟାଧୂପ ପୂଜା ବସିଥିବାବେଳେ ରଥ ନିକଟରେ ନୀତି ସାରି ଶ୍ରୀଦେବୀ ଜଗମୋହନକୁ ବିଜେ କରିବେ। ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଲାଗି ହେବା ପରେ ସନ୍ଧ୍ୟାଧୂପ ଟେରା ପଡ଼ିିବ। ରାତ୍ର ୯ଟା ୫୦ ସୁଦ୍ଧା ସନ୍ଧ୍ୟାଧୂପ ବଢିବ। ପରେ ମଇଲମ, ଚନ୍ଦନଲାଗି ଓ ବଡ଼ସିଂହାର ହୋଇ ରାତ୍ର ୧ଟା ସୁଦ୍ଧା ପହୁଡ଼ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।