ଆଜି ସରିବ ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ, ୬।୪ ( ଡି.ଏନଏ)-ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବ୍ରହ୍ମବରଦାରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ କରାଯାଇଥିଲା। ଏହା ସୋମବାର ରାତି ୮ଟାରେ ଶେଷ ହେବ। ଏହାପରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ଖୋଲିବ। ମାତ୍ର ଲୋକମାନେ ଦୋକାନରେ ଭିଡ଼ ନ ଜମାଇବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ୭ ତାରିଖ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ଖୋଲାରହିବ। ନିୟମ ଉଲ୍ଲଘଂନ କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଦୋକାନ ସିଲ୍‌ କରାଯିବା ସହ ଦୋକାନର ସମସ୍ତ ସମାଗ୍ରୀ ଜବତ କରାଯିବ। ଏହାଛଡା ଜରୁରୀ କାମ ନ ଥାଇ ଘରୁ ବାହାରିଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଏଥିସହ ଯେଉଁମାନେ ଜରୁରୀ କାମରେ ଘରୁ ବାହାରିବେ ସେମାନେ ମାସ୍କ ଓ ହାତରେ ଗ୍ଲୋବ୍ସ ପିନ୍ଧି ଆସିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।