ଆଜି ସରିବ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ଶେଷ ହେବ। ସନ୍ଧ୍ୟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ପ୍ରକାଶ ପାଇବ। ସିଟ୍‌ ବଳକା ରହିଲେ ଆସନ୍ତା ୨୦ ତାରିଖରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ଓ ୨୫ରୁ ୨୭ ତାରିଖ ମଧ୍ୟରେ ନାମଲେଖା ହେବ। ୨୯ ତାରିଖରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ, ଚଳିତ ଶିକ୍ଷାବର୍ଷ ପାଇଁ ୩ ଲକ୍ଷ ୭୫ ହଜାର ୯୫୮ ଛାତ୍ରୀଛାତ୍ର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୩ ହଜାର ୫୭୩ ଛାତ୍ରୀଛାତ୍ରଙ୍କୁ ନାମଲେଖା ଲାଗି ଚୟନ କରାଯାଇଥିଲା। ରାଜ୍ୟର ୧୯୮୪ କଲେଜର ୫ଟି ବିଭାଗରେ ମୋଟ ୪ ଲକ୍ଷ ୪୮ ହଜାର ୧୯୫ ସିଟ୍‌ ରହିଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ୨ଲକ୍ଷ ୯୮ ହଜାର ୨୯୩ ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୪୯ ହଜାର ୯୦୨ ସିଟ୍‌ ଖାଲି ରହିଥିଲା। ଗତ ଶନିବାର ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ କେତେ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି ତାହା ବୁଧବାର ସନ୍ଧ୍ୟାରେ ଜଣାପଡ଼ିବ।