ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି: ମହାପ୍ରଭୁଙ୍କୁ ଲାଗି ହେଲା ଜେଉଡ଼ ଭୋଗ

ପୁରୀ ଅଫିସ,୨।୪: ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥପାଇଁଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବୁଧବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟା ଆଳତି ପରେ ଭିତରେ ପାଣିପଡ଼ି ଟେରା ବନ୍ଧା ହୋଇ ରୋଷରେ ସନ୍ଧ୍ୟାଧୂପ ଛେକ ଛାମୁକୁ ଆସିଥିଲା। ସନ୍ଧ୍ୟାଧୂପ ପୂଜା ପରେ ଭିତରେ ପାଣି ପଡ଼ି ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା। ଟେରା ବନ୍ଧା ଯାଇ ଜେଉଡ଼ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ ଖିରି ଆଦି) ରୋଷରୁ ଆସି ବଲ୍ଲଭ ପିଣ୍ଡିଠାରେ ରଖା ଯାଇଥିଲା। ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ୩ଜଣ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିଥିଲେ। ପାଣି ପଡ଼ି ଧୋପଖାଳ ପରେ ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଏହି ବନ୍ଦାପନାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଅନ୍ୟାନ୍ୟ ନୀତି ବଢିଥିଲା। ଜେଉଡ ଭୋଗ ଏବଂ ଗର୍ଭଉଦକ ବନ୍ଦାପନା ସମ୍ପର୍କରେ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଜେଉଡ଼ ଫଳ ଖାଇଥାନ୍ତି। ଶ୍ରୀରାମ ନବମୀ ପୂର୍ବଦିନ ଅର୍ଥାତ୍‌ ଅଷ୍ଟମୀରେ ଶ୍ରୀଜଗନ୍ନାଥ କୌଶଲ୍ୟା ରୂପ ଧାରଣ କରି ଜେଉଡ଼ ଭୋଗ ଖାଇଥାନ୍ତି । ମହାପ୍ରଭୁଙ୍କ ଗର୍ଭରେ ଶ୍ରୀରାମଚନ୍ଦ୍ର ରହିଥିବାରୁ ତାଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ତାହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଲୀଳାମୟ ଠାକୁରଙ୍କ ଏହା ଏକ ଅଲୌକିକ ଲୀଳା। ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସୃଷ୍ଟି ହେବେ ଶ୍ରୀରାମଚନ୍ଦ୍ର ବୋଲି ଗବେଷକ ଡ. ଦାଶ କହିଛନ୍ତି।