ଆଜି ଶପଥ ନେବେ ହାଇକୋର୍ଟର ନୂତନ ବିଚାରପତି

କଟକ ଅଫିସ,୧୦।୨: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ଯୋଗଦେଇ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ଅନ୍ୟ ବିଚାରପତିଙ୍କ ସହ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ହାଇକୋର୍ଟର ଡେପୁଟି ରେଜିଷ୍ଟ୍ରାର୍‌ ଜ୍ୟୋତି ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ହାଇକୋର୍ଟ ନୂତନ ବିଚାରପତି ଭାବେ ସଞ୍ଜୀବଙ୍କୁ ନିଯୁକ୍ତି ମିଳିଥିବା ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ତାଙ୍କ ନାମ ଘୋଷଣା ହୋଇଥିଲା।