ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବଜେଟ ଗୃହରେ ଆଗତ କରିବେ। ଚଳିତ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ୧ ଲକ୍ଷ ୩୮ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଧାନସଭାରେ ଆଗତ ହେବା ପୂର୍ବରୁ ଚିଠା ବଜେଟକୁ ଗତ ୨୦ ତାରିଖରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳି ସାରିଛି। ଏହି ବଜେଟରେ ଜଳସେଚନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଗ୍ରାମାଞ୍ଚଳ ଭିତ୍ତିଭୂମି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କାଳିଆ ଆଦି ଯୋଜନା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଭିତ୍ତିଭୂମି ପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟୟବରାଦ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ରାଜ୍ୟ ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବାକୁ ଧାନକିଣା କାର୍ଯ୍ୟରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଗୋଷ୍ଠୀଗୁଡ଼ିକ ସକାଶେ ଧାନ କ୍ରୟ ପାଇଁ ୧ ହଜାର କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରାଯିବ। ଏଥିପାଇଁ ମଧ୍ୟ ବଜେଟରେ ବ୍ୟୟବରାଦ କରାଯାଇଛି।