ଆଜି ମା’ ଲଙ୍ଗ ବାଉତୀଙ୍କ ପୌଷ ପୂର୍ଣ୍ଣମୀ ଯାତ୍ରା: ଆକର୍ଷଣ ସାଜିବ ମହିଳା ପାଇକ ଖେଳ

ବଅଁରପାଳ, ୧୦।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା’ ଲଙ୍ଗ ବାଉତୀଙ୍କ ବାର୍ଷିକ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ସମଗ୍ର ଗ୍ରାମ। ଏଥିସହିତ ପ୍ରତ୍ୟେକ ଗ୍ରାମବାସୀ ଯାତ୍ରାକୁ ମହାଆଡମ୍ବର ସହକାରେ ପାଳନ କରିବା ପାଇଁ ତତ୍ପର ହୋଇପଡ଼ିଛନ୍ତି।
ପ୍ରତ୍ୟେକ ବର୍ଷ ପୌଷ ପୂର୍ଣ୍ଣିମା ତିଥିରେ ମା’ଙ୍କ ଯାତ୍ରା ପାଳିତ ହୋଇଥାଏ। ଯାତ୍ରା ଆସିଲେ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ଜମିବା ସହ ପିଠାପଣା ହୋଇଥାଏ। ଯାତ୍ରାଦିନ ଗ୍ରାମର ଦିଅଁ ଘରେ ସକାଳେ ପୂଜାର୍ଚ୍ଚନା ହୋଇଥାଏ। ପୂର୍ବାହ୍ନରେ ବିଭିନ୍ନ ବାଦ୍ୟବାଜଣା ସହକାରେ ମା’ଙ୍କ ଆଲମକୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଯାତ୍ରା ପୀଠକୁ ଅଣାଯାଏ। ଶୋଭାଯାତ୍ରାରେ ଚଳିତ ବର୍ଷ ଖୋର୍ଦ୍ଧାର ମହିଳା ପାଇକ ଖେଳ ଓ ଭବାନୀପାଟଣାର ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଲମ ଆସିବା ପରେ ଦେବୀଙ୍କ ମାଜଣା ପର୍ବ ସହ ବଡ଼ପୂଜା ଅନୁଷ୍ଠିତ ହେବ। ମାନସିକ ପୂରଣ ପାଇଁ ବହୁ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ଅଧିଆ ପଡିବେ। ଯାତ୍ରାରେ ବିଭିନ୍ନ କିସମର ଦୋକାନ ବଜାର ପଡିବ। ଏଥିପାଇଁ ବ୍ୟବସାୟୀମାନେ ସେମାନଙ୍କ ପସରା ମେଲାଇ ସାରିଲେଣି। ଯାତ୍ରା ଅବସରରେ ଗ୍ରାମରେ ଦଣ୍ଡନୃତ୍ୟ ପ୍ରତିଯୋଗିତା ସହ ମେଲୋଡି, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଯାତ୍ରାକୁ ଗ୍ରାମବାସୀ ପରିଚାଳନା କରୁଛନ୍ତି। ଏ ନେଇ ବୁଢ଼ାପଙ୍କ ସରପଞ୍ଚ ଉତ୍ସବ ଦେହୁରୀ, ବୁନୁ ସିଂ, ଅଭୟ ସାମଲ ପ୍ରମୁଖ କୁହନ୍ତି, ଦେବୀ ଆମର ପ୍ରତ୍ୟକ୍ଷ ଠାକୁରାଣୀ। ଏଠାରେ ଯିଏ ଯେଉଁ ମାନସିକ କରେ ତାହାର ମାନସିକ ପୂରଣ ହୋଇଥାଏ। ଚଳିତବର୍ଷ ଯାତ୍ରାକୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ବିଶେଷକରି ଶୋଭାଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଛି।