ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟ ବରାଦଠାରୁ ୨୨୦କୋଟି ଟଙ୍କା କମ୍‌ ରହିଛି। ପୂର୍ବତଟ ରେଳପଥ ଲାଗି ଚଳିତ ଥର ୫୮୬୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ଏଥିରେ ସାମିଲ ରହିଛି। ଗତବର୍ଷ ଓଡ଼ିଶା ରେଳପଥର ବିଭିନ୍ନ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ୪୫୯୩ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ତେବେ ଚଳିତ ଥର କେନ୍ଦ୍ର ବଜେଟରେ ରେଲଓ୍ବେ ଅନୁଦାନ ହ୍ରାସ ପାଇବାପରେ ବିଜେଡି ଓ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏହାସହ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିବାରେ ଲାଗିଛି। ଏଭଳି ସ୍ଥିତିରେ ବିଧାନସଭାର ରେଲଓ୍ବେ କମିଟି ପକ୍ଷରୁ କେନ୍ଦ୍ର କମାଇଥିବା ଅନୁଦାନ ବାବଦରେ ସୋମବାର ଏକ ଜରୁରୀ ବୈଠକ ବସିବ। କମିଟି ଅଧ୍ୟକ୍ଷ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କମିଟିର ସମସ୍ତ ସଦସ୍ୟଙ୍କୁ ଯୋଗଦେବା ଲାଗି ଗତ ଶୁକ୍ରବାର ଚିଠି ଦିଆଯାଇଛି। ୧୦ ତାରିଖ ପୂର୍ବାହ୍ନ ୧୦.୩୦ ମିନିଟ୍‌ରେ ବିଧାନସଭାର ୫୪ନମ୍ବର ରୁମ୍‌ରେ ବୈଠକ ଅନୁଷ୍ଠିତ ହେବ। ରେଲଓ୍ବେ ଅନୁଦାନ ହ୍ରାସ କରାଯିବା ଏବଂ ରାଜ୍ୟରେ ରେଳ କାର୍ଯ୍ୟ ବଢାଇବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ନେଇ ମଧ୍ୟ ଆଲୋଚନା ହେବ। ଏହାସହ ଆସନ୍ତା ୧୧ କିମ୍ବା ୧୨ରେ ରେଳମନ୍ତ୍ରୀଙ୍କୁ ଭେଟିବା ସକାଶେ ସମୟ ମଗାଯିବ। କେନ୍ଦ୍ରମନ୍ତ୍ରୀ ଯେଉଁ ତାରିଖ ଦେବେ କମିଟି ସଦସ୍ୟମାନେ ଦିଲ୍ଲୀ ଯାଇ ତାଙ୍କୁ ଭେଟିବେ ବୋଲି ଜଣାପଡିଛି।