ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଉପଚ୍ଛାୟାଜନିତ ହେତୁ ପାଳନୀୟ ନୁହେଁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଶୁକ୍ରବାର ରାତିରେ ଦେଖିବାକୁ ମିଳିବ। ଏହି ମହାଜାଗତିକ ଘଟଣା ଓଡିଶା ସମେତ ସମଗ୍ର ଭାରତ ଏବଂ ବିଶ୍ୱର ଅନେକ ରାଷ୍ଟ୍ରରେ ଦେଖାଯିବ। ୧୦ ତାରିଖ ରାତି ୧୦ଟା ୩୭ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ଏହି ସମୟରେ ଚନ୍ଦ୍ର ପୃଥିବୀର ଉପଚ୍ଛାୟାରେ ପ୍ରବେଶ କରିବ। ତେବେ ଏଥର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ପ୍ରଚ୍ଛାୟା(ଗାଢ କଳା ଛାୟା)ରେ ପ୍ରବେଶ କରିବ ନାହିଁ। ତେଣୁ ଏହି ଚନ୍ଦ୍ରଗ୍ରହଣକୁ ଖାଲି ଆଖିରେ ଦେଖିବା କଷ୍ଟକର ହେବ। ଯଦି ଆକାଶ ସମ୍ପୂର୍ଣ୍ଣ ପରିଷ୍କାର ରୁହେ ତା ହେଲେ ଭଲଭାବେ ନିରୀକ୍ଷଣ କଲେ ଏକ ହାଲ୍‌କା ଛାଇ ଦେଖାଯିବ ବୋଲି ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଉପଚ୍ଛାୟାଜନିତ ହୋଇଥିବାରୁ ଏବଂ ଖାଲି ଆଖିରେ ଦେଖାଯାଉ ନ ଥିବାରୁ ଏହାକୁ ପାଳନ କରାଯିବ ନାହିଁ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ଦେଇଛନ୍ତି। ସୂଚନା ମୁତାବକ ୧୦ ତାରିଖ ରାତି ୧୦ଟା ୩୭ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହେବାକୁ ଥିବାବେଳେ ୧୧ ତାରିଖ ଭୋର ୨ଟା ୪୨ ମିନିଟରେ ଛାଇଟି ଚନ୍ଦ୍ର ଉପରୁ ସମ୍ପୂର୍ଣ୍ଣ ଅପସରିଯିବ। ଅର୍ଥାତ୍‌ ଚନ୍ଦ୍ର ପୃଥିବୀର ଉପଚ୍ଛାୟାରେ ୧୦ ତାରିଖ ରାତି ୧୦ଟା ୩୭ରୁ ୧୧ ତାରିଖ ଭୋର ୨ ଟା ୪୨ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଆକାଶ ମେଘମୁକ୍ତ ଥିଲେ ଏହି ଦୃଶ୍ୟକୁ ଖାଲି ଆଖିରେ କିମ୍ବା ଛୋଟ ବାଇନାକୁଲର ସାହାଯ୍ୟରେ ଦେଖିହେବ। ୨୦୨୦ ବର୍ଷରେ ୪ଟି ଚନ୍ଦ୍ରଗ୍ରହଣ ଏବଂ ୨ଟି ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ଏ ନେଇ ଡ. ପଟ୍ଟନାୟକଙ୍କ ସୂଚନା ମୁତାବକ, ଚନ୍ଦ୍ରଗ୍ରହଣ ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ। ଆକାଶ ମେଘମୁକ୍ତ ରହିଲେ ଏହା ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ତରଫରୁ ଲୋକମାନଙ୍କୁ ସଚେତନ କରାଯିବା ସହ ଏହି ସୁଯୋଗକୁ ହାତଛଡା ନ କରିବା ପାଇଁ କୁହାଯାଇଛି।