ଆଜି ନୂଆ ଏସ୍‌ସିବି କ୍ୟାମ୍ପସ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ ଅଫିସ୍‌, ୫ା୩: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନୂଆ ରୂପ ପାଇବ। ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୧୦୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଏସ୍‌ସିବିର ନୂତନ କ୍ୟାମ୍ପସ ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ କଟକ ଆସୁଛନ୍ତି। ଏହି ଗସ୍ତକୁ ନେଇ କଟକ ଜିଲା ପ୍ରଶାସନର ଅଧିକାରୀଙ୍କ ସମେତ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ତପତ୍ର ହୋଇପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରିବେ। ୧୧ଟା ୨୦ ମିନିଟ୍‌ରେ ଉପର ବାଲିଯାତ୍ରା ପଡ଼ିଆ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସେଠାରୁ ବାରବାଟୀ ଷ୍ଟାଡିୟମ୍‌ ଯିବେ। ଷ୍ଟାଡିୟମ୍‌ରେ ଗୁରୁବାର ଉଦ୍‌ଯାପନ ହେବାକୁ ଥିବା ଏସ୍‌ଡିସି ଟ୍ରାଇବାଲ୍‌ ଫୁଟବଲ୍‌ ଚାମ୍ପିୟନଶିପ୍‌ କପ୍‌ର ମହିଳା ଏବଂ ପୁରୁଷ ବର୍ଗର ଚାମ୍ପିୟନ ଦଳକୁ ଟ୍ରଫି ପ୍ରଦାନ କରିବେ। ସେଠାରୁ ବାଲିଯାତ୍ରା ପଡ଼ିଆକୁ ଯିବେ। ଏସ୍‌ସିବିକୁ ବିଶ୍ୱସ୍ତରୀୟ ହସ୍‌ପିଟାଲ୍‌ରେ ପରିଣତ କରିବା ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଛ’ ଲେନ୍‌ ରିଂରୋଡ୍‌ର ଭିତ୍ତିିପ୍ରସ୍ତର ସ୍ଥାପନ କରିବେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କୁ ସାମିଲ୍‌ କରିବା ପାଇଁ ବିଜେଡି ଶିବିରରେ ପ୍ରସ୍ତୁତି ଚାଲିଛି। ନେତାମାନଙ୍କ ମଧ୍ୟରେ ତୁହାକୁ ତୁହା ବୈଠକ ବସୁଛି।