Categories: ଖେଳ

ଆଜିର ଦିନରେ କ୍ୟାରିୟରର ପ୍ରଥମ ଶତକ ଲଗାଇଥିଲେ ସଚିନ

ନୂଆଦିଲ୍ଲୀ,୧୪।୮- ୧୯୯୦ ମସିହା ଆଜିର ଦିନରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ଲଗାଇଥିଲେ। ସେତେବେଳେ ୧୭ ବର୍ଷୀୟ ସଚିନ ଓଲ୍ଡ ଟ୍ରାଫର୍ଡଠାରେ ୧୧୯ ରନ୍‌ର ଇନିଂସ ଖେଳିଥିଲେ। ଏଥିଯୋଗୁ ଭାରତୀୟ ଦଳ ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇଥିଲା। ଏହି ଇନିଂସ ସମ୍ପର୍କରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ବିଶ୍ୱ ୧୯୯୦ରେ ଦେଖିଥିଲା ସଚିନଙ୍କ ପ୍ରଥମ ଶତକ। ୧୭ ବୟସରେ ମାଷ୍ଟର ବ୍ଲାଷ୍ଟର ଅପରାଜିତ ୧୧୯ ରନ୍‌ର ଇନିଂସ ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଭାରତ ଡ୍ର’ କରିପାରିଥିଲା। କ୍ରିକେଟର ଲମ୍ବା ଫର୍ମାଟରେ ଶତକ ଲଗାଇଥିବା ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ହୋଇ ରହିଛନ୍ତି ବୋଲି ଆଇସିସି ପକ୍ଷରୁ ଟୁଇଟ୍‌ କରାଯାଇଛି। ଏଥିସହ ଆଇସିସି ଉକ୍ତ ମ୍ୟାଚ୍‌ରେ ସଚିନଙ୍କ ଫଟୋ ମଧ୍ୟ ଶେୟାର ମଧ୍ୟ କରିଛି। ଚଳିତ ବର୍ଷ ତାଙ୍କୁ ୬ଷ୍ଠ ଭାରତୀୟ ଭାବେ ଆଇସିସି ହଲ ଅଫ୍‌ ଫେମ୍‌ରେ ସାମିଲ କରାଯାଇଥିଲା। ଉଲ୍ଲେଖଥାଉ କି, ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟାଟିଂର ପ୍ରାୟ ରେକର୍ଡ ସଚିନଙ୍କ ନାମରେ ରହିଛି। ସର୍ବାଧିକ ସଂଖ୍ୟକ ଶତକ ସହ ଟେଷ୍ଟ (୧୫,୯୨୧) ଓ ଦିନିକିଆ (୧୮,୪୨୬) ଫର୍ମାଟରେ ସବୁଠୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ହୋଇ ରହିଛନ୍ତି। ୧୬ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତିନିଧିତ୍ୱ କରିବା ପରେ ସେ ଦେଶର ଲୋକପ୍ରିୟ ଖେଳାଳି ହୋଇଯାଇଥିଲେ। ସେ ୧୫ ବର୍ଷ ବୟସରେ ୧୯୮୮-୮୯ ସିଜନରେ ରଣଜୀ ପଦାର୍ପଣ କରିଥିଲେ। ଗୁଜରାଟ ବିପକ୍ଷ କ୍ୟାରିୟରର ପ୍ରଥମ ରଣଜୀ ମ୍ୟାଚ୍‌ରେ ସେ ଶତକ ଲଗାଇଥିଲେ। ଉକ୍ତ ସିଜନରେ ସେ ମୁମ୍ବାଇ ଦଳର ସର୍ବାଧିକ ରନ୍‌ ସ୍କୋରର ଥିଲେ। ଏହାପରେ ତାଙ୍କୁ ୧୯୮୯-୧୯୯୦ ପାକିସ୍ତାନ ଗସ୍ତ ଲାଗି ପ୍ରଥମ ଥର ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିଲା। ୨୦୧୧ରେ ୩୭ ବର୍ଷ ବୟସରେ ତାଙ୍କ ବିଶ୍ୱକପ୍‌ ସ୍ବପ୍ନ ପୂରଣ ହୋଇଥିଲା। ୨୦୧୨ରେ ଦିନିକିଆ କ୍ରିକେଟରୁ ସଚିନ ସନ୍ନ୍ୟାସ ନେଇଥିଲେ। କ୍ୟାରିୟରର ଅନ୍ତିମ ଦିନିକିଆ ମ୍ୟାଚ୍‌ର ଠିକ୍‌ ପୂର୍ବ ମ୍ୟାଚ୍‌ରେ ୧୦୦ତମ ଶତକ ଅର୍ଜନ କରିଥିଲେ। ୨୦୧୩ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ କ୍ୟାରିୟରର ୨୦୦ତମ ଟେଷ୍ଟ ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।

Share