ଆଜି କାରଗିଲ୍‌ ବିଜୟ ଦିବସ: ଶହୀଦ୍‌ ଯବାନଙ୍କୁ ସାରା ଦେଶ ଜଣାଇଲା ସମ୍ମାନ

ନୂଆଦିଲ୍ଲୀ, ୨୬।୭: କାରଗିଲ ଯୁଦ୍ଧକୁ ବିତିଛି ୨୦ ବର୍ଷ। ୧୯୯୯ ମସିହାରେ ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାରଗିଲରେ ବିଜୟର ଧ୍ୱଜା ଉଡାଇଥିଲା ଭାରତ। କାରଗିଲ୍‌ ଯୁଦ୍ଧରେ ୫୦୦ରୁ ଉର୍ଦ୍ଧ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ପାକିସ୍ତାନ ହରାଇଥିଲା ୪୦୦୦ରୁ ଅଧିକ ସୈନ୍ୟ। ପାକିସ୍ତାନକୁ ମାତ୍‌ ଦେବା ପାଇଁ ଭାରତୀୟ ସୈନ୍ୟ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୮ ହଜାର ଫୁଟ ଉଚ୍ଚ ଏବଂ ମାଇନସ ୪୮ ଡିଗ୍ରୀ ସେଲସିଅସ ତାପମାତ୍ରାରେ ଶତ୍ରୁସୈନ୍ୟର ମୁକାବିଲା କରିବା ହୁଏତ ବିଶ୍ୱର ଯେକୌଣସି ସେନା ପାଇଁ ମୁସ୍କିଲତ୍‌। ହେଲେ ମାଟି ମାଆର ସୁରକ୍ଷା ପାଇଁ ସାମାନ୍ୟ ବିଚଳିତ ହୋଇ ନ ଥିଲା ଭାରତୀୟ ସେନା। ଦେଶ ପାଇଁ ଲଢି ଚାଲିଥିଲେ ଯବାନ୍‌ମାନେ। ୧୯୯୯ ମେ’ରୁ ଜୁଲାଇ ମଧ୍ୟରେ ଯେଉଁ ରକ୍ତାକ୍ତ ସଂଘର୍ଷ ହେଲା ସେଥିରେ ଉଭୟ ପକ୍ଷର ଭୀଷଣ କ୍ଷୟକ୍ଷତି ହେଲା। ପ୍ରାୟ ଦୁଇମାସର ରକ୍ତାକ୍ତ ସଂଘର୍ଷ ଓ ଭାରତୀୟ ସେନାର ମୁହଁତୋଡ ଜବାବ ସହ ପ୍ରବଳ ଅନ୍ତର୍ଜାତୀୟ ଚାପ ପରେ ପଛକୁ ହଟିଗଲେ ପାକ ସୈନ୍ୟ। ଏମିତି ମଧ୍ୟ ହୋଇଥିଲା ଜୁଲାଇ ୨୬ରେ ପାକିସ୍ତାନ ନିଜ ଦେଶର ସୈନ୍ୟମାନଙ୍କ ମରଶରୀର ବି ନେବାକୁ ମନା କରିଦେଇଥିଲା। ଭାରତୀୟ ସୈନ୍ୟମାନେ ଶତ୍ରୁପକ୍ଷ ମରଶରୀରକୁ ତାଙ୍କ ଦେଶ ପତାକାରେ ଘୋଡାଇ ସଂସ୍କାର କରିଥିଲେ। ଏହି କାରଣରୁ ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରାଯାଉଛି ।

Share