ଆଜି ଆସୁଛନ୍ତି ଅମିତ୍‌ ଶାହା, ଜନତା ମଇଦାନ ସଭାରେ ଯୋଗଦେବେ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଶୁକ୍ରବାର ପୂର୍ବାହ୍ନ ୧୦ଟା ୧୦ ମିନିଟ୍‌ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରେ ପହଞ୍ଚିବେ। ସେଠାରେ ତାଙ୍କୁ ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ଭାଜପା କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବେ। ଏହାପରେ ଶାହା ରାଜ୍ୟ ଲୋକସେବା ଭବନର କନ୍‌ଭେନ୍‌ଶନ ହଲ୍‌ରେ ଅନୁଷ୍ଠିତ ହେବାକୁ ଥିବା ୨୪ତମ ପୂର୍ବାଞ୍ଚଳ ଜୋନ୍‌ ପରିଷଦ (ଇଜେଡ୍‌ସି) ବୈଠକରେ ଯୋଗଦେବେ। ଏହା ପରେ ଅପରାହ୍ନ ୪ଟାରେ ଭାଜପା ପକ୍ଷରୁ ଜନତା ମଇଦାନଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେଠାରେ ସେ ୧ ଘଣ୍ଟା ରହିବେ। ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ
ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିଷୟରେ ମତ ରଖିବେ। ଏହାପରେ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ହୋଟେଲରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସେ ଏକ ବୈଠକରେ ଯୋଗଦେବେ। ଏହି ବୈଠକ ୧ ଘଣ୍ଟା ଧରି ଚାଲିବ। ସେଠାରୁ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ପୁରୀ ଅଭିମୁଖେ ଯାତ୍ରା କରିବେ ଏବଂ ସେଠାରେ ରାତ୍ରିଯାପନ କରିବେ। ଶନିବାର ସକାଳ ୮ଟାରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ପୂର୍ବାହ୍ନ ୧୦ଟା ୪୫ରେ ଶାହା ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଏକ ଘରୋଇ ହସ୍ପିଟାଲକୁ ଉଦ୍‌ଘାଟନ କରି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।