ଆଜିଠୁ ମିଳିବ ଘରୋଇ ବିମାନ ସେବା

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରି ଆସୁଥିବାବେଳେ ଧୀରେ ଧୀରେ ଯାତ୍ରୀ ପରିବହନ ସେବା ସ୍ବାଭାବିକ ହେବାରେ ଲାଗିଛି। ପ୍ରାୟ ୨ମାସ ଧରି ବନ୍ଦ ରହିଥିବା ଘରୋଇ ବିମାନ ସେବା ସୋମବାରଠାରୁ ଆରମ୍ଭ ହେଉଛି। ଦେଶର ବିଭିନ୍ନ ସ୍ଥାନକୁ ଘରୋଇ ବିମାନ ଚଳାଚଳ କରିବ। ଏଥିପାଇଁ ବିମାନବନ୍ଦର ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଚାଲିଛି। ବିମାନବନ୍ଦରରେ ପରିବର୍ତ୍ତିତ କଟକଣା ଓ ନିୟମ ଲାଗୁ ହୋଇଥିବାବେଳେ ଏହି ଅନୁଯାୟୀ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ। ବିଶେଷକରି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଟଚ୍‌ ଫ୍ରି କରାଯାଇଥିବାବେଳେ ଏଠାରେ ୧୦ ବିମାନ ଉଡ଼ାଣ କରିବ। ଏଥିମଧ୍ୟରେ ଦିଲ୍ଲୀକୁ ୩ଟି ବିମାନ, ୨ଟି ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ, ଚେନ୍ନାଇ, କୋଲକାତା ଓ ଝାରସୁଗୁଡ଼ାକୁ ଗୋଟିଏ ଲେଖାଏ ବିମାନ ଚଳାଚଳ। ତେବେ ଏଥିମଧ୍ୟରୁ ମୁମ୍ବାଇ, କୋଲକାତା ଏବଂ ଅନ୍ୟ କେତେକ ସ୍ଥାନରେ କିଛି ସମସ୍ୟା ଥିବାଯୋଗୁ ୨ରୁ ୩ଟି ବିମାନ ବାତିଲ ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ କହିଛନ୍ତି, ସୋମବାର ସକାଳ ୮ଟା ୧୦ରେ ହାଇଦ୍ରାବାଦରୁ ପ୍ରଥମ ବିମାନ ଭୁବନେଶ୍ୱରରେ ପହଞ୍ଚତ୍ବ ଓ ୮ଟା ୪୦ରେ ତାହା ହାଇଦ୍ରାବାଦ ଅଭିମୁଖେ ବାହାରିବ। ସେବା ଆରମ୍ଭ ପୂର୍ବରୁ ରବିବାର ସମସ୍ତ ଷ୍ଟେକ୍‌ ହୋଲ୍ଡରମାନଙ୍କୁ ନେଇ ଏକ ଟ୍ରାଏଲ ରନ୍‌ କରାଯାଇଥିଲା। ଯାତ୍ରୀଙ୍କୁ ଟଚ୍‌ ଫ୍ରୀ ସେବା ଦେବା ପାଇଁ ବିମାନବନ୍ଦର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ରାଓ କହିଛନ୍ତି।