ଆଜିଠୁ ପିତୃପକ୍ଷ ଆରମ୍ଭ

ପୁରୀ ଅଫିସ,୧୪ା୯: ପିତୃ ପକ୍ଷରେ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡ ଦାନ କରାଯାଇଥାଏ। ଶନିବାରଠାରୁ ଆରମ୍ଭ ହେବ ପିତୃପକ୍ଷ। ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ କୁହାଯାଏ। ପିତୃ ପୁରୁଷଙ୍କ ମୃତ୍ୟୁ ତିଥିରେ ତାଙ୍କ ଉତ୍ତର ପୁରୁଷ ତିଳତର୍ପଣ ସହ ମହାଳୟା ବିଧିରେ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ଯେଉଁମାନେ ତିଥିରେ ଶ୍ରାଦ୍ଧ କରିପାରନ୍ତି ନାହିଁ ସେମାନେ ମହାଳୟା ଦିନ ଶ୍ରାଦ୍ଧ ଦେଇଥାନ୍ତି। ତର୍ପଣ ଓ ଶ୍ରାଦ୍ଧ କରିବା ଦ୍ୱାରା ପିତୃଲୋକ ସନ୍ତୁଷ୍ଟ ହୋଇ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି କରିଥାନ୍ତି। ଅନେକ ବ୍ୟକ୍ତି ଯେଉଁମାନେ ଘରେ ଶ୍ରାଦ୍ଧ ଦେଇ ନ ପାରନ୍ତି ସେମାନେ ବାଇଶ ପାହାଚରେ ପିଣ୍ଡ ଦାନ କରିଥାନ୍ତି। ଏହି ପିତୃପୁରୁଷଙ୍କୁ ଦୀପାବଳି ଅମାବାସ୍ୟା ଦିନ ଅନ୍ଧାରରେ ଆସ ଆଲୁଅରେ ଯାଅ ବୋଲି କୁହାଯାଇ ବିଦାୟ ଦିଆଯାଏ। ତେବେ ତିଥି କ୍ଷୟ ଥିବାରୁ ଶନିବାର ଶ୍ରୀମନ୍ଦିରରେ ଭାଦ୍ରବ ପୂର୍ଣ୍ଣିମା ନୀତି ପାଳିତ ହେବ। ଏହି ପବିତ୍ର ତିଥିରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କ ବନ୍ଦାପନା ନୀତି କରାଯିବ।