ଆଜିଠୁ ନୟାଗଡ଼ ସହରରେ ପଲିଥିନ ନିଷେଧ:୫ରୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା, ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ

ନୟାଗଡ଼ ଅଫିସ,୨ା୧୦: ନୟାଗଡ଼ ସହରରେ ବୁଧବାରଠାରୁ ପଲିଥିନ ନିଷେଧ କରାଯିବ। କୌଣସି ବ୍ୟବସାୟୀ ପଲିଥିନ ବ୍ୟବହାର କଲେ ତାଙ୍କଠାରୁ ୫ରୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ମଙ୍ଗଳବାର ଏ ନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇ ବ୍ୟବସାୟୀ ଓ ଲୋକମାନଙ୍କୁ ସୂଚନା ଦିଆଯାଇଛି। ଯଦି କୌଣସି ବ୍ୟବସାୟୀ ଦୋକାନରେ ପଲିଥିନ ରଖିଥିବେ ତା’ହେଲେ ତାଙ୍କଠାରୁ ପ୍ରଥମଥର ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ସେହିପରି ଦ୍ୱିତୀୟ ଥର ଧରାପଡ଼ିଲେ ୧୦ ହଜାର ଓ ତୃତୀୟ ଥର ପଲିଥିନ ଜବତ ହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଅନୁରୂପ ଭାବେ ତୃତୀୟ ଥର ଧରାପଡ଼ିଥିବା ବ୍ୟବସାୟୀଙ୍କୁ ୩ମାସ ପାଇଁ ଜେଲଦଣ୍ଡ ଭୋଗ କରିବାକୁ ପଡ଼ିବ। ଅନ୍ୟପଟେ ଯଦି କୌଣସି ଗ୍ରାହକ ପଲିଥିନ ନେଇ ଯାଉଥିବା ଦେଖିବାକୁ ମିଳେ ତେବେ ତାଙ୍କଠାରୁ ୧୦୦ରୁ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି। ଏହାକୁ ନେଇ ବ୍ୟବସାୟୀଠାରୁ ଆରମ୍ଭ କରି ଗ୍ରାହକମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅଧିକାଂଶ ବେପାରୀ ଗ୍ରାହକମାନଙ୍କୁ ବ୍ୟାଗ୍‌ ଆଣିବା ପାଇଁ କହୁଥିବା ଦେଖାଯାଇଛି।
ପ୍ରକାଶ ଯେ, ପଲିଥିନ ଓ ପ୍ଲାଷ୍ଟିକ ତିଆରି ଜିନିଷ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏହି କାରଣରୁ ରାଜ୍ୟ ସରକାର ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାରଠାରୁ ରାଜ୍ୟର ୧୦୯ ଏନ୍‌ଏସି ଓ ମ୍ୟୁନିସିପାଲିଟିରେ ପ୍ଲାଷ୍ଟିକ ଉପରେ କଟକଣା ଜାରି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ନୟାଗଡ଼ ସହରର ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ୮୭ କିଲୋ ୨୦୦ ଗ୍ରାମ୍‌ ପଲିଥିନ ଜବତ କରାଯାଇଛି। ସେହିପରି ଜରିମାନା ବାବଦକୁ ୫୪ ହଜାର ୭୦୦ ଟଙ୍କା ଆଦାୟ କରାଯାଇଛି। ହେଲେ କୌଣସି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇ ନାହିଁ। ୩ ତାରିଖଠାରୁ ଏହାକୁ କଡ଼ାକଡ଼ି କରାଯାଇ ସମସ୍ତ ସ୍ଥାନରେ ଚଢ଼ାଉ କରାଯିବ ବୋଲି ପୌର ପରିଷଦ ପକ୍ଷରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଗ୍ରାହକ ଓ ବ୍ୟବସାୟୀ ସଚେତନ ହୋଇ ପଲିଥିନକୁ ନା କହିବା ପାଇଁ ପରାମର୍ଶ ଦିଆଯାଇଛି। ଏହାର ବ୍ୟତିକ୍ରମ ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌର ପରିଦଦ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ପ୍ରଶାସନର ଏହି କଟକଣା କେତେଦୂର କାର୍ଯ୍ୟକାରୀ ହେଉଛି ବା ଲୋକଙ୍କ ଉପରେ ଏହାର ପ୍ରଭାବ କିପରି ପଡୁଛି ତାହା ଦେଖିବାକୁ ବାକି ରହିଛି।