କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ ସଚେତନ ରହିବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ରାଜପଥରେ ସ୍ଥାପିତ ଟୋଲ ଗେଟ୍ରେ ଅଟୋମେଟେଡ୍ ଇଲେକ୍ଟ୍ରୋନିକ ବ୍ୟବସ୍ଥା ମାଧ୍ୟମରେ ଇ-ଚାଲାଣ କଟିବ। ଏଥିସହ ମୋଟରଯାନର ଅନ୍ୟାନ୍ୟ ଯାଞ୍ଚ ବେଳେ ପିୟୁସିସି ନ ଥିବା ଜଣାପଡ଼ିଲେ ଅଟୋମେଟେଡ୍ ବ୍ୟବସ୍ଥା ମାଧ୍ୟମରେ ବି ଇ-ଚାଲାଣ କଟିବ।
ସୂଚନାନୁସାରେ, କେନ୍ଦ୍ରୀୟ ମୋଟରଯାନ ଆଇନ ଅନୁଯାୟୀ ପିୟୁସିସି ନ ଥିଲେ ଇ-ଚାଲାଣ ମୋଟା ଅଙ୍କରେ କଟିବା ପ୍ରକ୍ରିୟା ଗତ ଡିସେମ୍ବରରେ କଡ଼ାକଡ଼ି କରାଯାଇଥିଲା। ଏଥିସହ ପିୟୁସିସି ନ ଥିଲେ ଟାଙ୍କିରେ ପେଟ୍ରୋଲ ମିଳିବ ନାହିଁ ବୋଲି ମଧ୍ୟ କଡ଼ା ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହାକୁ ନେଇ ଗାଡ଼ି ବ୍ୟବହାରକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପିୟୁସିସି ଚାଲାଣ କଟିବାକୁ ଏପ୍ରିଲ ପହିଲା ଯାଏ କୋହଳ କରାଯାଇଥିବା ଘୋଷଣା କରିଥିଲେ। ପରେ ହାଇକୋର୍ଟରେ ମଧ୍ୟ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ଏହା ମଧ୍ୟରେ ପିୟୁସିସି ସଂକ୍ରାନ୍ତୀୟ ମାମଲାର ଅନ୍ତ ଘଟିଛି। ତେବେ ସଂସଦରେ ଅନୁମୋଦନ ଲାଭ କରିଥିବା କେନ୍ଦ୍ରୀୟ ଆଇନ ଦ୍ୱାରା ପିୟୁସିସି ଚାଲାଣ କାର୍ଯ୍ୟକାରୀ ହେଉଥିବାରୁ ତାହାକୁ ଠିକ୍ ବୋଲି ହାଇକୋର୍ଟ ରାୟରେ ଉଲ୍ଲେଖ କରିଥିଲେ। ଏବେ ସେହି କୋହଳ ଅବଧି ସରିଯାଇଥିବାରୁ ସ୍ବାଭାବିକ ଭାବେ ଏପ୍ରିଲ ୨ରୁ ମୋଟର ଯାନ ଆଇନର ଅନ୍ୟାନ୍ୟ ନିୟମ ସହ ପିୟୁସିସି ଯାଞ୍ଚ ମଧ୍ୟ କରାଯିବା ସ୍ପଷ୍ଟ ହୋଇଛି।
Dharitri – Odisha’s No.1 Odia Daily

