ଆଜିଠାରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ: ଏହାର ସୁବିଧାନେବାକୁ ଯାଜପୁର ଜିଲାପାଳଙ୍କ ଅନୁରୋଧ

ଯାଜପୁର ଟାଉନ,୧ା୯(ଡିଏନଏ)- ସେପ୍ଟେମ୍ବର ୧ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ହେବ। ଏହି ଜିଲାର ସମସ୍ତ ୧୬୧୯ଟି ଭୋଟ କେନ୍ଦ୍ର ସହ ସମସ୍ତ ଭୋଟର ସହାୟତା କେନ୍ଦ୍ରରେ ଏହାର ସୁବିଧା ଭୋଟରମାନେ ନେବାକୁ ଜିଲାପାଳ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି। ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ଓ ଭୋଟରଙ୍କର ଅନୁଧ୍ୟାନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲାପାଳ ଦାସ ଜିଲାରେ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସମୟରେ ଭୋଟରମାନେ ସେମାନଙ୍କ ତ୍ରୁଟିକୁ ସଂଶୋଧନ କରାଇପାରିବେ। ୨୦୧୯ ଜାନୁୟାରୀ ୧କୁ ଯେଉଁମାନଙ୍କୁ ୧୮ ବର୍ଷ ବା ତଦୁଦ୍ଧର୍‌ବ ହେଉଥିବ ସେମାନେ ସେମାନଙ୍କର କୌଣସି ଏକ ପ୍ରମାଣ ପତ୍ର ଓ ଫଟୋ ପ୍ରଦାନ କରି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ଭୋଟର କେନ୍ଦ୍ର ସହ ସମସ୍ତ ବ୍ଲକ, ତହସିଲ, ପୈାର ପରିଷଦ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭୋଟର ସହାୟତା କେନ୍ଦ୍ରରେ ମଧ୍ୟ ଭୋଟରମାନେ ସହାୟତା ପାଇପାରିବେ। ଏ ସମ୍ପର୍କରେ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ବିସ୍ତୃତ ସୂଚନା ଦେଇଥିଲେ। ବିଏଲଓ ଏବଂ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀମାନେ ସୋସିଆଲ ମିଡିଆରେ ବିଭିନ୍ନ ସୂଚନା ଭୋଟରଙ୍କୁ ପ୍ରଦାନ କରିବେ। ମୃତ, ସ୍ଥାନନ୍ତର ଇତ୍ୟାଦି ଭୋଟରଙ୍କୁ ଚିହ୍ନଟ କରି ବାଦ ଦିଆଯିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ସହକାରୀ ଜିଲାପାଳ ତିଳୋତ୍ତମା ପୃଷ୍ଟି, ସମସ୍ତ ତହସିଲଦାର, ବିଡିଓ, ପୈାର ନିର୍ବାହୀ ଅଧିକାରୀଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।