ଆଜିଠାରୁ ଭୁବନେଶ୍ୱର-ଜୁନାଗଡ଼ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୪।୮ (ବ୍ୟୁରୋ): କଳାହାଣ୍ଡିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରୁ ଜୁନାଗଡ଼ ପର୍ଯ୍ୟନ୍ତ ସ୍ବତନ୍ତ୍ର ଭାବେ ଚାଲିବ ଟ୍ରେନ୍‌। ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ଏକ୍ସପ୍ରେସ (ନଂ.୧୮୪୩୭-୧୮୪୩୮) ଶନିବାରଠାରୁ ଯାତ୍ରା ଆରମ୍ଭ କରିବ। ପୂର୍ବରୁ ହୀରାଖଣ୍ଡ ଏକ୍ସପ୍ରେସ ସହ ଯୋଡ଼ି ହୋଇ ଜୁନାଗଡ଼ ଯାଉଥିଲା ଟ୍ରେନ୍‌। ପ୍ରଥମେ ଟ୍ରେନ୍‌ଟି ରାୟଗଡା ପର୍ଯ୍ୟନ୍ତ ଯିବାପରେ ସେଠାରୁ ଅଲଗା ହୋଇ ଆଉ ଏକ ଇଞ୍ଜିନ ସହ ଜୁନାଗଡ ଯାତ୍ରା କରୁଥିଲା। ହେଲେ ଏଣିକି ସ୍ବତନ୍ତ୍ର ଟ୍ରେନ୍‌ ସେବା ମିଳିିବ। ଶନିବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଟ୍ରେନ୍‌କୁ ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବେ। ଏହାପରେ ଅପରାହ୍ନ ୪ଟା ୩୦ରେ ପ୍ରଥମେ ଟ୍ରେନ୍‌ଟି ଜୁନାଗଡ଼ଠାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।
ତେବେ ଟ୍ରେନ୍‌ଟି ପ୍ରତିଦିନ ଭୁବନେଶ୍ୱରରୁ ରାତି ୧୦ଟା ୩୫ରେ ବାହାରି ପରଦିନ ୧୧ଟା ୩୦ରେ ଜୁନାଗଡ଼ରେ ପହଞ୍ଚତ୍ବ। ସେହିପରି ଜୁନାଗଡ଼ ରୋଡ୍‌ରୁ ଅପରାହ୍ନ ୪ଟା ୩୦ରେ ଯାତ୍ରା ଆରମ୍ଭ କରି ପରଦିନ ସକାଳ ୬ଟା ୩୦ରେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ଏଥିରେ ମୋଟ ୧୮ କୋଚ ରହିବ। ଏଥିମଧ୍ୟରୁ ଏସ୍‌ଏଲ୍‌ଆର୍‌ ବଗି ୨, ସାଧାରଣ ଦ୍ୱିତୀୟ ଶ୍ରେଣୀ ୫, ଦ୍ୱିତୀୟ ଶ୍ରେଣୀ ଏସି ୧, ତୃତୀୟ ଶ୍ରେଣୀ ଏସି ୩, ଯୁଗ୍ମ ଭାବେ ଦ୍ୱିତୀୟ ଶ୍ରେଣୀ ଏସି ଓ ତୃତୀୟ ଶ୍ରେଣୀ ଏସି ମିଶି ଗୋଟିଏ ବଗି ସହ ୭ ଶୟନଯାନ ରହିବ। ପୂର୍ବଭଳି ଏହି ଟ୍ରେନ୍‌ରେ କିନ୍ତୁ ପ୍ୟାଣ୍ଟ୍ରି କାର ରହିବ ନାହିଁ।
ଅନ୍ୟପକ୍ଷରେ ଶନିବାରଠାରୁ ଅଣସଂରକ୍ଷିତ ଟିକଟରେ ଓଡ଼ିଆ ଭାଷା ରହିବ। ରାଜ୍ୟର ସମସ୍ତ ଷ୍ଟେଶନରେ ଏହା ଉପଲବ୍ଧ ହେବ। ପୂର୍ବରୁ ଏହି ଟିକଟରେ କେବଳ ଇଂଲିଶ ଓ ହିନ୍ଦୀ ଭାଷାରେ ବିବରଣୀ ରହୁଥିଲା। ଏଣିକି ଏହି ଦୁଇ ଭାଷା ସହ ଓଡ଼ିଆ ରହିବାର ବ୍ୟବସ୍ଥା ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।