ଆଜିଠାରୁ ‘ଜିନ ଓ୍ବା’ରୁ କଢ଼ାଯିବ ତେଲ, ଚିଲିକା ପ୍ରତି ବିପଦ ନାହିଁ: ମନ୍ତ୍ରୀ

ଚିଲିକା, ୨୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିଲିକା ନିକଟ ରାଜହଂସରେ ଫସିଯାଇଥିବା ମାଲେସୀୟା ଜାହାଜ ‘ଜିନ ଓ୍ବା’ରୁ ବୁଧବାରଠାରୁ ତେଲ କଢ଼ାଯିବା ଆରମ୍ଭ ହେବ। ଏହା ୩ରୁ ୪ ଦିନ ଲାଗିବ। ପରେ ଜାହାଜକୁ ସେଠାରୁ ଉଠାଇବାକୁ ମଧ୍ୟ କୁହାଯିବ। ଜାହାଜଟି କାହାର ଓ କେଉଁ ଏଜେନ୍ସିର ତାହା ଖୋଜିବାରେ ସମୟ ଲାଗିଗଲା। ତେଣୁ ଏସବୁ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ହୋଇଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ତେବେ ଚିଲିକା ପ୍ରତି କୌଣସି ବିପଦ ନ ଥିବା ମନ୍ତ୍ରୀ ମଧ୍ୟ କହିଛନ୍ତି।

ପ୍ରକାଶ ଯୋଗ୍ୟ, ବାଂଲାଦେଶରୁ ମାଲ କାଢ଼ି ଫେରିବା ବେଳେ ବାଟବଣା ହୋଇ ଚିଲିକା ନିକଟ ରାଜହଂସରେ ଉକ୍ତ ଜାହାଜଟି ଫସି ରହିଛି। ଏଥିରୁ କିଭଳି ତେଲ କଢ଼ାଯିବ ସେ ନେଇ ଜାହାଜ ମାଲିକଙ୍କ ସହ ଜିଲା ପ୍ରଶାସନର ଆଲୋଚନା ହୋଇଥିଲା।