ଆଖିରେ ରାଉଣ୍ଡର ବାଜି ଛାତ୍ର ଗୁରୁତର ହେବା ପ୍ରତିବାଦ: ଶିକ୍ଷକଙ୍କ ଅବହେଳାକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ତୁମୁଡ଼ିବନ୍ଧ,୧୯।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଆଖିରେ ରାଉଣ୍ଡର ବାଜି ଗୁରୁତର ହେବା ଘଟଣା ପ୍ରତିବାଦରେ ଗୁରୁବାର ମୁଣ୍ଡିଗଡ଼ ଅଭିଭାବକମାନେ ଗୁରୁବାର ବିଦ୍ୟାଳୟକୁ ଦୁଇଘଣ୍ଟା ଯାଏ ତାଲା ପକାଇ ରଖିଥିଲେ। ଖବର ପାଇ ତୁମୁଡ଼ିବନ୍ଧ ବିଡିଓ ଜୟଦେବ ଦାସ, ବିଇଓ ଉଦ୍ଧବ ଚରଣ ନାୟକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।

ଗତ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଓମ୍‌ ପ୍ରକାଶ ପରିଚ୍ଛା ରାଉଣ୍ଡରରେ ଖେଳୁଥିବା ବେଳେ ହଠାତ ବାଜିଯିବା ହେତୁ ଗୁରୁତର ହୋଇଥିଲେ। ଏପରିକି ପଢ଼ାଉଥିବା ଶିକ୍ଷୟିତ୍ରୀ ଏହାକୁ ହାଲୁକା ଭାବେ ନେଇ କାହାକୁ ଘଟଣା ସମ୍ପର୍କରେ ଜଣାଇ ନ ଥିଲେ। ମଧ୍ୟାହ୍ନ ଭୋଜନ ବିରତି ସମୟରେ ଛାତ୍ରଜଣଙ୍କ ଘରକୁ ଯାଇଥିଲେ। ଘଟଣା ଜଣାପଡ଼ିବା ତୁରନ୍ତ ପ୍ରଧାନ ଶିକ୍ଷକ ଛାତ୍ରଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡ଼ା ନିଆଯାଇଥିଲା। ସେଠାରୁ ବ୍ରହ୍ମପୁରକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।