ଆଉ ୨ ମାସ ଜାରି ରହିବ ଏସି ମୋ ବସ୍‌ର ଭଡ଼ା ରିହାତି

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ (ଏସି) ମୋ ବସ୍‌ର ଭଡ଼ା ରିହାତି ଆସନ୍ତା ୨ ମାସ ପାଇଁ ଜାରି ରହିବ। ଗତ ଡିସେମ୍ବର ମାସରୁ ଯାତ୍ରୀ ଭଡ଼ାରେ ୩୮% ହ୍ରାସ କରାଯାଇଥିଲା। ଏହା ଆସନ୍ତା ୩୧ ମାର୍ଚ୍ଚ ଯାଏ ବଳବତ୍ତର ରହିବ ବୋଲି ଏହାର ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି।
କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ମୋ ବସ୍‌ ନିଜ ଗ୍ରାହକଙ୍କ ଦୈନନ୍ଦିନ ଯାତ୍ରାକୁ ସୁଗମ ପରିଚାଳନା କରିବା ପାଇଁ ସର୍ବଦା ପ୍ରଚେଷ୍ଟା କରି ଚାଲିଛି ଓ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଗତ ୨ମାସରେ ଦୈନନ୍ଦିନ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଯାତ୍ରୀମାନେ ଭଡା ହ୍ରାସ ପଦକ୍ଷେପକୁ ସ୍ବାଗତ କରିବା ସହ ମୋ ବସ୍‌କୁ ଆପଣେଇଛନ୍ତି। ନଭେମ୍ବରରେ ପ୍ରତିଦିନ ୮୪ ହଜାର ଯାତ୍ରୀ ମୋ ବସ ସେବା ବ୍ୟବହାର କରିଥିବାବେଳେ ସେମାନଙ୍କଠାରୁ ୧୧.୭୫ ଲକ୍ଷ ଭଡା ଆଦାୟ ହେଉଥିଲା। ହେଲେ ଏବେ ଦୈନିକ ୧ ଲକ୍ଷ ଯାତ୍ରୀ ମୋ ବସ୍‌ରେ ଯାତାୟାତ କରୁଛନ୍ତି ଓ ଦୈନିକ ଭଡା ଆଦାୟ ୧୨ ଲକ୍ଷରେ ପହଞ୍ଚତ୍ଛି। ସେହିପରି ଡିସେମ୍ବରରେ ୫% ଯାତ୍ରୀସଂଖ୍ୟା ବୃଦ୍ଧି ହୋଇଥିଲା। କିନ୍ତୁ ଯାତ୍ରୀଭଡା ଆଦାୟ ୧% କମିଥିଲା। ଜାନୁୟାରୀରେ ଯାତ୍ରୀ ସଂଖ୍ୟା ୨୨ ପ୍ରତିଶତ ବଢ଼ିଛି। ସେହିଭଳି ନଭେମ୍ବରରେ ଶୀତତାପ ନିୟନ୍ତ୍ରିତ ମୋ ବସ୍‌ରେ ୪ ଲକ୍ଷ ୩୦ ହଜାର ଯାତ୍ରୀ ଯାତ୍ରା କରିଥିବାବେଳେ ଡିସେମ୍ବରରେ ଏହା ୫ଲକ୍ଷ ୫୦ ହଜାରରେ ପହଞ୍ଚତ୍ଥିଲା। ଜାନୁୟାରୀ ୨୭ ସୁଦ୍ଧା ଏସି ବସ୍‌ ଯାତ୍ରୀ ସଂଖ୍ୟା ୯% ବୃଦ୍ଧି ପାଇ ୪ଲକ୍ଷ ୭୦ହଜାରରେ ପହଞ୍ଚତ୍ଛି। ତେଣୁ ରିହାତି ଭଡ଼ା ଜାରି ରହିବ ବୋଲି ମହାପାତ୍ର କହିଛନ୍ତି।
ବର୍ତ୍ତମାନ ୨୦୦ଟି ମୋ ବସ ସେବା ଚାଲୁଥିବାବେଳେ ଚଳିତବର୍ଷ ୧୮୯ ଅଧିକ ବସ୍‌ ଗଡ଼ିବାର ଯୋଜନା ରହିଛି। ଏଥିମଧ୍ୟରୁ ୫୦ ଇଲେକଟ୍ରିକ୍‌ ବସ ରହିଥିବାବେଳେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଖୁବ୍‌ଶୀଘ୍ର ଏହିସବୁ ବସ୍‌ ରାଜଧାନୀ ଆଞ୍ଚଳିକ ପରିବହନ ବ୍ୟବସ୍ଥା ଅନ୍ତର୍ଗତ କଟକ, ଭୁବନେଶ୍ୱର, ଖୋର୍ଦ୍ଧାକୁ ଗଡିବ। ଆଉ ୫୦ ଡିଜେଲ ବସ୍‌ ଓ ୮୯ ପୁରୁଣା ବସ୍‌ର ପୁନରୁଦ୍ଧାର କାର୍ଯ୍ୟ କରାଯାଇ ଲୋକଙ୍କୁ ସେବା ଦିଆଯିବ ବୋଲି କ୍ରୁଟର ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ ପାଇଛି।