Categories: ରାଜ୍ୟ

ଆଇଏଏସ୍‌ ଅଫିସର ଶ୍ରୀମନ୍ଦିର ପରିଚାଳନା କରିବା ଠିକ୍‌ ନୁହେଁ: ବାହିନୀପତି

ପୁରୀ ଅଫିସ,୧୭ା୭:  ଶ୍ରୀମନ୍ଦିରକୁ ଆଇଏଏସ୍‌ ଅଫିସର ତଥା ଅମଲାତନ୍ତ୍ର ପରିଚାଳନା କରିବା ଠିକ୍‌ ନୁହେଁ। ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବା ଦରକାର ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ମଙ୍ଗଳବାର ଗୋବର୍ଦ୍ଧନ ମଠରେ ଆୟୋଜିତ ଗୁରୁପୂର୍ଣ୍ଣିମା ମହୋତ୍ସବରେ ଯୋଗଦେଇ ବାହିନୀପତି କହିଥିଲେ, ନିକଟରେ ଭିଲାଇ ଗସ୍ତବେଳେ ସେଠାକାର ଜଗନ୍ନାଥ ମନ୍ଦିରକୁ ଯାଇଥିଲି। ଠାକୁରଙ୍କୁ ଦର୍ଶନ କରିବା ସହିତ ପ୍ରସାଦ ସେବନର ସୁଯୋଗ ମଧ୍ୟ ପାଇଲି। ବହୁ ଓଡ଼ିଆ ମୋତେ ଏକ ପ୍ରଶ୍ନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ କେହି ବଡ଼ ନୁହେଁ। ସେହିପରି ଧର୍ମଗୁରୁ ଭାବେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ମଧ୍ୟ କେହି ବଡ଼ ନୁହେଁ। କିନ୍ତୁ ଆଇଏଏସ୍‌ ଅଫିସର ତଥା ଅମଲାମାନେ ଶ୍ରୀମନ୍ଦିର ପରିଚାଳନା କରୁଛନ୍ତି, ଯାହା ଠିକ୍‌ ନୁହେଁ। ପୂର୍ବରୁ ଗଜପତି ମହାରାଜା ଏବଂ ଶଙ୍କରାଚାର୍ଯ୍ୟ ପରିଚାଳନା କରୁଥିଲେ। ବର୍ତ୍ତମାନ ଯେଉଁ ପରିବର୍ତ୍ତନ କରାଯାଇଛି ସେଥିରେ ହସ୍ତକ୍ଷେପ କରିବା ଲାଗି ବାହିନୀପତି ରାଜ୍ୟପାଳଙ୍କୁ ନିବେଦନ କରିଥିଲେ। ବାହିନୀପତି ଏହା ମଧ୍ୟ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର। ସେହିପରି ଜଗତଗୁରୁ ଶଙ୍କରାଚାର୍ଯ୍ୟ ହେଉଛନ୍ତି ବିଶ୍ୱର ଗୁରୁ। ବିଶ୍ୱକୁ ରକ୍ଷା କରିବା ଲାଗି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥାନ୍ତି। ଅନ୍ୟପକ୍ଷରେ ଗୋ ଚାଲାଣ ସମ୍ପର୍କରେ ଉଦ୍‌ବେଗ ପ୍ରକାଶ କରି ବାହିନୀପତି କହିଥିଲେ, କୋରାପୁଟ ଜିଲାରୁ ପ୍ରତ୍ୟେକ ଦିନ ହଜାର ହଜାର ଗୋ ମାତାଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଛି । ତେଣୁ ଏ ଦିଗରେ ସମସ୍ତେ ଯତ୍ନବାନ ହେଲେ ଗୋ ମାତାଙ୍କ ସୁରକ୍ଷା ହୋଇପାରିବ।