Categories: ମେଟ୍ରୋ

ଆଇଆଇସିଙ୍କୁ ମାଡ଼ ଘଟଣା: ଅଭିଯୁକ୍ତ ଗିରଫ

ଖୁଣ୍ଟୁଣୀ,୨୬।୭(ଡି.ଏନ୍‌.ଏ.): କପୁରସିଂ ଗ୍ରାମରେ ଜଗତପୁର ଥାନା ଆଇଆଇସି ପ୍ରଦୀପ କୁମାର ନାୟକଙ୍କୁ ମାଡ଼ ମାରିବା ଘଟଣାରେ ଗୁରୁବାର ଗୁରୁଡିଝାଟିଆ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କପୁରସିଂ ଗ୍ରାମର ପପିନା ରାଉତ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୧୦ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୋଲିସ କହିଛି। ମେ’ ୨୫ରେ ଜଗତପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ଚୌଦ୍ୱାର ଥାନା ମଇଁଷାଲଣ୍ଡା ଗ୍ରାମର ଅନ୍ତର୍ଯ୍ୟାମୀ ରାଉତ ଅପହରଣ କରିନେଇଥିବା ଜଗତପୁର ଥାନାରେ ଅଭିଯୋଗ ହୋଇଥିଲା। ଗତ ବୁଧବାର ସ୍ଥାନୀୟ ପୋଲିସକୁ ନ ଜଣାଇ ଅଭିଯୁକ୍ତଙ୍କୁ ସାଦା ପୋଷାକରେ ଗିରଫ କରିବାକୁ ଆସିଥିବା ଜଗତପୁର ଥାନା ଆଇଆଇସି ନାୟକଙ୍କୁ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ମାଡ଼ ମାରିଥିଲେ। ଏପରିକି ଆଇଆଇସିଙ୍କ ସହିତ ଯାଇଥିବା ଅନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ମାଡ଼ରୁ ବର୍ତ୍ତି ନ ଥିଲେ। ଖବରପାଇ ଗୁରୁଡିଝାଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇଆଇସି ନାୟକ ଓ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଆଇଆଇସି ନାୟକଙ୍କ ଅଭିଯୋଗକ୍ରମେ ଗୁରୁଡିଝାଟିଆ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।