ଅସ୍ଥାୟୀ ମେଡିକାଲ ବାହାରେ ୧୪୪ ଧାରା

ଅନୁଗୋଳ ଅଫିସ, ୧୧।୫: କରୋନା ସଂକ୍ରମଣ ତାଲିକାକୁ ଆସିଯିବା ପରେ ଅନୁଗୋଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ରବିବାର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ଚେକିଂ ଚାଲିଛି। ସହରକୁ ଆସୁଥିବା ଲୋକମାନେ କେଉଁ କାମରେ ଆସୁଛନ୍ତି, ଅନୁମତି ନେଇଛନ୍ତି କି ନାହିଁ ତାହା ଯାଞ୍ଚ କରାଯାଉଛି ବୋଲି ଏସ୍‌ଡିପିଓ ଅଶ୍ୱିନୀ ସାହୁ ସୂଚନା ଦେଇଛନ୍ତି। ସହରର ଶିମିଳିପଡ଼ା, ହେମସୁରପଡ଼ା, ରାଜା ଛକ, ହରିମହୁରୀ ଛକ, ମିଶ୍ରପଡ଼ା ଛକ, ହୁଲୁରିସିଂହା, ଛେଳିଆପଡ଼ା, ରାଣୀଗୋଡ଼ା, ଥାନା ଛକ, ସର୍କିଟ ହାଉସ ଛକ, ଜଗନ୍ନାଥ ମନ୍ଦିର, କାଲଟାକ୍ସ ଛକ, ଗାନ୍ଧୀମାର୍ଗ ଆଦିରେ ଯାଞ୍ଚ କରାଯାଉଛି। ସେହିପରି ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଅନୁଗୋଳ ସବୁଜ ଜୋନ୍‌ରେ ରହିବ ଓ ପୂର୍ବ କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଜିଲାର ସମସ୍ତ ଅସ୍ଥାୟୀ ମେଡିକାଲ ଶିବିର ଚୁତଃପାର୍ଶ୍ୱର ୧ ଶହ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି ରହିବ। ବିନା ଅନୁମତିରେ କୌଣସି ଅଣସ୍ବୀକୃତିପ୍ରାପ୍ତ ବ୍ୟକ୍ତି ଏହା ନିକଟକୁ ଯାଇ ପାରିବେ ନାହିଁ। ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।