ଅସ୍ଥାୟୀ ଆଶ୍ରୟସ୍ଥଳ ଦେଇଛି ଆହାର

କେନ୍ଦୁଝର, ୩୧ା୩ (ନରେଶ ପଟ୍ଟନାୟକ)-କରୋନା ପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ। ଏହା ଚାରିଆଡ଼େ ତାହାର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ୩୪ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିଥିବାବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ସବୁଠି ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ସବୁଆଡ଼େ ଯାତାୟାତ ଏକପ୍ରକାର ଠପ୍‌ ହୋଇପଡ଼ିଥିବାବେଳେ ଦିନ ମଜୁରିଆମାନେ ବହୁ କଷ୍ଟରେ ସମୟ କାଟୁଛନ୍ତି। ସରକାରଙ୍କ ଲକଡାଉନ ଘୋଷଣା ଅନେକଙ୍କ କାମ ଛଡାଇ ନେଇଛି। ବାହାର ରାଜ୍ୟରୁ ଆସି କେନ୍ଦୁଝର ଜିଲାରେ ବହୁ ବର୍ଷ ହେଲା ରହି ଗଦି ଓ ରେଜେଇ ପ୍ରସ୍ତୁତ କରି ପେଟ ପୋଷୁଥିବା ଅନେକ ବ୍ୟକ୍ତି କିଛି ଦିନ ହେଲା କାମ ନ ପାଇ ବହୁତ ହଇରାଣ ହେଉଥିଲେ। ହେଲେ ଅସ୍ଥାୟୀ ଆଶ୍ରୟସ୍ଥଳରେ ରହୁଥିବା ବହିରାଗତ ପାଇଁ ଗଦି ଆବଶ୍ୟକ ପଡିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ତିଆରି କରିବାକୁ ଅର୍ଡର ମିଳିଛି। ଏବେ ସେମାନେ କାମ ପାଇ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି।
କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ବହିରାଗତଙ୍କୁ ଏକାନ୍ତରେ ରଖିବା ଆବଶ୍ୟକ। ସେମାନଙ୍କର ଚିକିତ୍ସା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେମାନଙ୍କ ଶୋଇବା ପାଇଁ ଆବଶ୍ୟକତା ଥିବା ବିଛଣା (ଗଦି) ପ୍ରସ୍ତୁତି କାମରେ ଗଦି, ରେଜେଇ ବେପାରୀମାନେ ଲାଗି ପଡିଛନ୍ତି। ଏହି କାମ ସେମାନଙ୍କୁ କର୍ମ ଯୋଗାଣ ସହ ଅସୁବିଧା ସମୟରେ ସେବା କରିବାକୁ ସୁଯୋଗ ଦେଲା ବୋଲି କୁହନ୍ତି ଗଦିବାଲା ଏମ୍‌ଡି ସମୀର। ଏଭଳି ୫୦୦ ଗଦି ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଆଦେଶ ମିଳିଥିବା କହିଛନ୍ତି। ଏହି କାମରେ ଲାଗିଛନ୍ତି ୭ ଜଣ ମଜୁରିଆ। ଏମାନଙ୍କ ଘର ଝାଡ଼ଖଣ୍ଡ ରାଜ୍ୟରେ। କିନ୍ତୁ ବହୁ ବର୍ଷ ଧରି ଓଡ଼ିଶାର କେନ୍ଦୁଝର ଜିଲାରେ ଭଡ଼ା ଘରେ ରହି ଗାଁ ସହର ବୁଲି ଲୋକଙ୍କ ଗଦି ତିଆରି, ମରାମତି ଆଦି କାମ କରୁଛନ୍ତି। ଯାହା କିଛି ରୋଜଗାର ହୁଏ ନିଜେ ଚଳନ୍ତି ଏବଂ ଘରକୁ ଛୁଆପିଲାମାନଙ୍କ ଚଳିବା ପାଇଁ ପଠାଇଥାନ୍ତି। ହଠାତ ଲକ ଡାଉନ ଘୋଷଣା ଯୋଗୁ ସେମାନେ ଘରକୁ ଫେରି ପାରି ନ ଥିଲେ। ସବୁବେଳେ ବୁଲି କାମ କରିଆସୁଥିବା ଏହି ଲୋକ ଭଡ଼ାଘରେ ବସି ରହିି କ’ଣ କରିବେ ଚିନ୍ତାରେ ରହୁଥିଲେ। ଏଠାରେ କିପରି ରହିବେ କ’ଣ ଖାଇବେ ଚିନ୍ତାରେ ଥିବା ବେଳେ ଏହି କାମ ସେମାନଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି। ସେମାନଙ୍କ ଭଳି ଜିଲାର ବହୁ ଗଦିବାଲାଙ୍କୁ ଏଭଳି ଗଦି ତିଆରି ପାଇଁ ବରାଦ ମିଳିଛି। ଏଥିପାଇଁ ପ୍ରଶାସନ ଆବଶ୍ୟକ ତୁଳା ବାଲେଶ୍ୱରରୁ ମଗାଇ ଯୋଗାଇ ଦେଉଥିବା କହିଛନ୍ତି।