ଅସହ୍ୟ ହେଲା ଋଣ ବୋଝ, ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ବାଲେଶ୍ୱର ଅଫିସ,୨୩।୭-ଋଣ ବୋଝ ସହି ନ ପାରି ବାଲେଶ୍ୱର ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର ଚାଷୀ ସୁମନ୍ତ ବେହେରା (୪୬) ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଚାନ୍ଦିପୁର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୬୨୦/୧୯) ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୁମନ୍ତ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କର ୨୬ବର୍ଷର ପୁଅ ରୋଗାଗ୍ରସ୍ତ। ୩ଟି ଝିଅ ମଧ୍ୟରୁ ଗୋଟିଏ ଝିଅକୁ ବିବାହ କରିଦେଇ ସାରିବା ପରେ ଅନ୍ୟ ଦୁଇଟି ଝିଅ ପାଠ ପଢୁଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ଖାଦ୍ୟ ନଳୀରେ ଘା’ ହୋଇଥିବା ସେ ଜାଣିବା ପରେ ଭାଙ୍ଗିପଡିଥିଲେ। ୨/୩ ଏକର ଜମିରୁ ଯାହା ଚାଷ ହୁଏ ସେଥିରୁ ପରିବାର ଚଳେ। ଚାଷ ପାଇଁ ସେ ସେଣ୍ଟ୍ରାଲ ବ୍ୟାଙ୍କରୁ ୮୦ହଜାର, ଦେନା ବ୍ୟାଙ୍କରୁ ୨୫ହଜାର, କୋଅପରେଟିଭ୍‌ ବ୍ୟାଙ୍କ ଏବଂ ହାତ ଉଧାରି ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା କରଜ କରିଛନ୍ତି। ଏହାସହ ରୋଗଗ୍ରସ୍ତ ପୁଅ ନେଇ ସୁମନ୍ତ ସବୁବେଳେ ବ୍ୟସ୍ତ ବିବ୍ରତ ରହୁଥିଲେ। ଉକ୍ତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଚଳିତବର୍ଷ ଚାଷ ପାଇଁ ସେ ଛୋଟିଆ ପୋଖରୀ ନିକଟରେ ତଳି ପକାଇଥିଲେ। ବର୍ଷା ଅଭାବରୁ ପୋଖରୀ ପାଣି ଶୁଖିଯିବା ଫଳରେ ତଳି ମରିବାକୁ ଲାଗିଲାଣି। ସୁମନ୍ତ ଅଧିକ ବିବ୍ରତ ହୋଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ଗାଁରେ ଅନ୍ୟ ଚାଷୀଙ୍କ ସହ ତଳି ମରିଯିବା ବିଷୟରେ ଆଲୋଚନା କରିଥିଲେ। ଘରକୁ ଯାଇ ପୁଅର ଚିକିତ୍ସା ସହିତ ଋଣ ପରିଶୋଧ ବିଷୟରେ ପନତ୍ୀଙ୍କ ସହ ଆଲୋଚନା କରିଥିଲେ। ପରେ ସେ ସେଠାରୁ ଯାଇ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ବିଷ ପିଇବା କଥା ଜାଣି ପଡ଼ୋଶୀଙ୍କ ସହଯୋଗରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଅଟୋ ଯୋଗେ ଆଣିଥିଲେ। ସେଠାରେ କିଛି ସମୟ ଚିକିତ୍ସା ହେବା ପରେ ପ୍ରାୟ ସାଢେ ୧୦ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।