ଅସହାୟ ଅବସ୍ଥାରେ ଚୈତନ୍ୟଙ୍କ ପରିବାର

ଡାବୁଗାଁ, ୧୬।୩ (ଡି.ଏନ.ଏ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡ଼ଙ୍ଗରିଗୁଡା ପଞ୍ଚାୟତର ଜୟନ୍ତୀନଗର ଠାରେ ଦୀର୍ଘଦିନ ଧରି ବିଛଣାରେ ପଡିରହିଛନ୍ତି ଚୈତନ୍ୟ ଜାନୀ (୪୫) । ପାରାଲିଶିସରେ ଆକ୍ରାନ୍ତ ହୋଇ ତାଙ୍କ ବାମ ହାତ ଓ ଗୋଡ ସମ୍ପୂର୍ଣ୍ଣ ଅକାମି ହୋଇପଡିଛି । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନଥିବା ସେ କହିଛନ୍ତି । ଚୈତନଙ୍କ ଚିକିତ୍ସା ନିମନ୍ତେ ପରିବାର ଲୋକଙ୍କ ପାଖରେ ଯାହାଥିଲା ସବୁ ବିକି ଭାଙ୍ଗି ସାରିବା ପରେ ଏବେ ସରକାରୀ ସାହାଯ୍ୟକୁ ଚାହିଁ ରହିଛନ୍ତି । ବୋଝ ଉପରେ ଲଳିତା ବିଡା ଭଳି ଚୈତନଙ୍କ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ ଖସିପଡିଛି । କିଛି ମାସ ତଳେ ଚୈତନ୍ୟଙ୍କ ଏକ ବର୍ଷ ର ନାତି ରକ୍ତହୀନତା ଅଭାବରୁ ମୃତ୍ୟୁବରଣ କରିଥିବା ଜଣାପଡିଛି । ଚୈତନ୍ୟଙ୍କ ପୁଅ କୁଲି ମଜୁରୀ କରି ଯାହା ରୋଜଗାର କରି ଆଣୁଛନ୍ତି ତାହା ପରିବାର ଭରଣ ପୋଷଣ ପାଇଁ ନିଅଣ୍ଟ । ଏପରି ସ୍ଥିତିରେ ଚୈତନ୍ୟଙ୍କ ଚିକିତ୍ସା କରିବା ତାଙ୍କ ପକ୍ଷେ ଅସମ୍ଭବ। ଅନ୍ୟପକ୍ଷେ ସରକାରଙ୍କ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କୌଣସି କାମରେ ଆସୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛି । ଦୁଃଖ ଶୁଣିବାକୁ କେହି ନାହାନ୍ତି ତେଣୁ ଖୁବ ଶୀଘ୍ର ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିଜର ଦୁଃଖ ଜଣାଇବେ ବୋଲି ପରିବାର ବର୍ଗ କହିଛନ୍ତି । ଚୈତନ୍ୟଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।