ଅସହାୟଙ୍କ ଆଲୋକବର୍ତ୍ତିକା

ଡାକ୍ତର ରବି କାନ୍ନନ ଆର୍‌

ଜାଣିଥିଲେ ତାଙ୍କ ପୁଅ ଦିନେ ବଡ଼ ନାମ ଅର୍ଜନ କରିବ। ମୋ ସ୍ବାମୀ ଓ ମୁଁ ସର୍ବଦା ଚାହିଁ ଆସିଥିଲୁ ପୁଅ ଡାକ୍ତର ହେଉ। ଏହି ବୃତ୍ତିରେ ରହିଲେ ସେ ସାଧାରଣ ଲୋକଙ୍କ ସେବା କରିପାରିବ। ପିଲାଟିବେଳୁ ସେ ଅତି ନମ୍ର ସ୍ବଭାବର ଥିଲା ଓ ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ରହିଆସିଛି। କୌଣସି ମାନ୍ୟତା ପାଇଲେ ସେ କଦାପି ଅତି ଖୁସି ହୁଏନା। ଯେତେବେଳେ ଯେଉଁ ସମ୍ମାନ ପାଇଛି ତାହା ଦ୍ୱାରା ଉତ୍ସାହିତ ହୋଇ ଲୋକଙ୍କୁ ଅଧିକ ସେବା ଯୋଗାଇ ଦେବା ପାଇଁ ଆଶାନ୍ବିତ ହୋଇଛି। ଆମେ ଏକ ସାଧାରଣ ଦକ୍ଷିଣ ଭାରତୀୟ ନିରାମିଷ ପରିବାରରୁ ଆସିଛୁ ଓ ଏବେ ଦେଶର ଏକ ସୁନ୍ଦର ସ୍ଥାନରେ ବାସ କରୁଛୁ। ଏଭଳି କଥା କହିଛନ୍ତି ରମନ ମାଗ୍‌ସେସେ ପୁରସ୍କାର ଲାଗି ମନୋନୀତ ହୋଇଥିବା ଆସାମର ସିଲ୍‌ଚରସ୍ଥିତ ଡାକ୍ତର ରବି କାନ୍ନନ ଆର୍‌ଙ୍କ ମାତା ଇନ୍ଦୁମତି। ଉଲ୍ଲେଖଯୋଗ୍ୟ, ଏସିଆର ନୋବେଲ ଭାବେ ପରିଚିତ ଏହି ସମ୍ମାନ ୧୯୫୮ରୁ ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରମନ ମାଗ୍‌ସେସେଙ୍କ ନାମରେ ଦିଆଯାଇଆସୁଛି। ନିଃସ୍ବାର୍ଥପର ଭାବେ ମର୍ଯ୍ୟାଦାଜନକ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ଏହି ପୁରସ୍କାର ଲାଗି ବଛାଯାଇଥାଏ। ଭୂଦାନ ଆନ୍ଦୋଳନର ପ୍ରବକ୍ତା ବିନୋବା ଭାବେ, ସେବାର ମୂର୍ତ୍ତିମନ୍ତ ପ୍ରତୀକ ମଦର ଟେରେସା, ରାଜନେତା ଜୟପ୍ରକାଶ ନାରାୟଣ, ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସତ୍ୟଜିତ୍‌ ରାଏ, ବିଶିଷ୍ଟ କର୍ନାଟକୀ ଗାୟିକା ଏମ୍‌.ଏସ୍‌. ଶୁବୁଲକ୍ଷ୍ମୀଙ୍କଠାରୁ ଆରମ୍ଭ କରି ଶ୍ୱେତ ବିପ୍ଳବର ଜନକ ଭର୍ଗିଜ୍‌ କୁରିଏନ୍‌, କୃଷି ବିଜ୍ଞାନୀ ଏମ୍‌.ଏସ୍‌. ସ୍ବାମୀନାଥନ୍‌, ପ୍ରଶାସକ ଟି.ଏନ୍‌. ଶେଷାନ, ଡାକ୍ତର ପ୍ରକାଶ ଆମ୍‌ତେ, ବ୍ୟଙ୍ଗ ଚିତ୍ରକର ଆର୍‌.କେ. ଲକ୍ଷ୍ମଣ, ସାମ୍ବାଦିକ ପି. ସାଇନାଥ, ଇଞ୍ଜିନିୟର ତଥା ଶିକ୍ଷା ସଂସ୍କାରକ ସୋନମ ଓ୍ବାଙ୍ଗଚୁକ୍‌ଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ସାମାଜିକ ପରିବର୍ତ୍ତନ ଓ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ବାନକୁ ମୁକାବିଲା କରିବା ଦିଗରେ ସାମର୍ଥ୍ୟ ରଖିଥିବା ଏହି ଭାରତୀୟଙ୍କ ତାଲିକାରେ ରବି କାନ୍ନନ ସାମିଲ ହୋଇଥିବାରୁ ତାଙ୍କ ମାତା ଖୁସିବ୍ୟକ୍ତ କରିବା ସ୍ବାଭାବିକ।
ରବି ତାମିଲନାଡୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସେଠାକାର କିଲ୍‌ପଉକ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଏବଂ ନୂଆଦିଲ୍ଲୀସ୍ଥିତ ମୌଲାନା ଆଜାଦ ମେଡିକାଲ କଲେଜରୁ ସର୍ଜିକାଲ ଅନ୍‌କୋଲୋଜିରେ ମାଷ୍ଟର ଅଫ୍‌ ସର୍ଜରି ଡିଗ୍ରୀ ଅର୍ଜନ କରିଥିଲେ। ଏହା ପରେ ସେ ଚେନ୍ନାଇର ଅଦ୍ୟାର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ରେ ଯୋଗଦେଇ ଏହାର ମୁଖ୍ୟ ହୋଇଥିଲେ। ୨୦୦୬ରେ ତାଙ୍କର ଜଣେ ସହଯୋଗୀଙ୍କ ଅନୁରୋଧ କ୍ରମେ ସେ ଆସାମର କାଚର କ୍ୟାନ୍‌ସର ହସ୍ପିଟାଲ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର (ସିସିଏଚ୍‌ଆର୍‌ସି)କୁ ପରାମର୍ଶ ଦେବାକୁ ଯାଇଥିଲେ। ସେଠାରେ କେନ୍ଦ୍ରର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବା ଲାଗି ନିର୍ଦ୍ଦେଶକ ତାଙ୍କୁ ଅନୁରୋଧ କରିଥିଲେ। ଅସହାୟ, ଗରିବ କର୍କଟ ରୋଗୀଙ୍କ ପାଇଁ ଉକ୍ତ ଅଣଲାଭଦାୟକ ସଂସ୍ଥା କାର୍ଯ୍ୟ କରୁଥିବା ଅନୁଭବ କରିବା ପରେ ରବି ନିର୍ଦ୍ଦେଶକଙ୍କ କଥାକୁ ସମ୍ମାନ ଜଣାଇଥିଲେ। ଚେନ୍ନାଇଠାରେ ପ୍ରାକ୍ଟିସ୍‌ ଛାଡ଼ି ସେ ୨୦୦୭ରେ ପରିବାର ସହ ଆସାମର ସିଲ୍‌ଚର ଚାଲିଯାଇଥିଲେ।
ବାୟୁସେନା ଅଧିକାରୀଙ୍କ ପୁଅ ଭାବେ ରବି ଜଣେ ଦୃଢ଼ମନା ବ୍ୟକ୍ତି। ଯେତେବେଳେ ସେ ସିସିଏଚ୍‌ଆର୍‌ସିରେ ଯୋଗଦେଇଥିଲେ ସେତେବେଳେ କର୍ମଚାରୀ ସଂଖ୍ୟା ଥିଲା ମାତ୍ର ୨୩। ଏବେ ବଢ଼ି ୪୫୦ରେ ପହଞ୍ଚତ୍ସାରିଛି। ସେ କହନ୍ତି, ସଂସ୍ଥା ଏକ ସୋସାଇଟି ଦ୍ୱାରା ପରିଚାଳିତ ହେଉଥିଲେ ହେଁ ଯେତେବେଳେ ସାହାଯ୍ୟ ଓ ସହଯୋଗ ଲୋଡ଼ାଯାଇଛି ସେତେବେଳେ ରାଜ୍ୟ ଓ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଇଛନ୍ତି। ଏହି କେନ୍ଦ୍ର ପ୍ରତିବର୍ଷ ପ୍ରାୟ ପାଞ୍ଚ ହଜାର ନୂଆ କର୍କଟ ରୋଗୀକୁ ବିନାମୂଲ୍ୟରେ କିମ୍ବା ଅତ୍ୟଧିକ ରିହାତି ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେଉଛି। ଏପରି କି ବହୁ ଦୂରରେ ଥିବା ଗ୍ରାମାଞ୍ଚଳର ରୋଗୀଙ୍କ ଘରକୁ ରବିଙ୍କ ଟିମ୍‌ର ସଦସ୍ୟମାନେ ଯାଇ ମାଗଣା ଔଷଧ ଦେବା ସହ ସେବା ପ୍ରଦାନ କରୁଛନ୍ତି। ସ୍ବଳ୍ପ ବ୍ୟୟରେ କିଭଳି କ୍ୟାନ୍‌ସର ଚିକିତ୍ସା ମିଳିପାରିବ ସେହି ଦିଗରେ ରବି ବହୁବିଧ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରୁ ରାଜ୍ୟର କେତେକ ଜିଲାରେ ‘ରିମୋଟ୍‌ କ୍ଲିନିକ୍‌’ ସ୍ଥାପନ କରାଯାଇଛି।
ନିଃସ୍ବାର୍ଥପର ସେବା ଲାଗି ୨୦୧୩ରେ ମେଡିସିନ୍‌ କ୍ଷେତ୍ରରେ ମହାବୀର ସମ୍ମାନ ଓ ୨୦୨୦ରେ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ପାଇଥିବା ରବି କାନ୍ନନ ୨୦୨୩ ଲାଗି ରମନ ମାଗ୍‌ସେସେ ପୁରସ୍କାର ବିଜେତା ହୋଇଛନ୍ତି। ଉକ୍ତ ପୁରସ୍କାର ଲାଗି ତାଙ୍କ ନାମ ଘୋଷଣା ହେବା ପରେ ସେ ତାହାକୁ ତାଙ୍କ ହସ୍ପିଟାଲର ଏହା ସମ୍ମାନ ବୋଲି ଅଭିହିତ କରିଛନ୍ତି। ସେ କେବଳ ଏହାର ମୁଖ୍ୟ ଭାବେ ପୁରସ୍କାର ଗ୍ରହଣ କରିବାକୁ ଯିବେ ବୋଲି କହିଛନ୍ତି। ସମସ୍ତେ ଏକ ଟିମ୍‌ ଭାବେ କାର୍ଯ୍ୟ କରୁଛନ୍ତି ଓ ପ୍ରତ୍ୟେକଙ୍କ ଲକ୍ଷ୍ୟ ହେଉଛି ପ୍ରକଳ୍ପକୁ ସଫଳ କରିବା। ଏଠାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି କେବଳ ସେମାନେ ନୁହନ୍ତି, ବାହାରୁ ଯେଉଁ ଲୋକମାନେ ଆମକୁ ସାହାଯ୍ୟ କରୁଛନ୍ତି ସମସ୍ତେ ଏହି ପୁରସ୍କାର ବିଜେତା ବୋଲି ରବି କହିଛନ୍ତି। ସେ କହନ୍ତି, କର୍କଟ ଅନ୍ୟ ରୋଗ ଭଳି ଆଯୋଗ୍ୟଯୋଗ୍ୟ। ଯେଭଳି କୌଣସି ରୋଗୀ କର୍କଟରେ ନ ମରିବେ ସେଥିଲାଗି ଯଥାସାଧ୍ୟ ପ୍ରୟାସ କରାଯାଉଛି। ଆସାମ ଓ ଉତ୍ତର ପୂର୍ବାଞ୍ଚଳର ଅନେକ ଅଞ୍ଚଳରେ ଲୋକଙ୍କ ଜୀବନଶୈଳୀ କର୍କଟ ରୋଗକୁ ଡାକିଆଣୁଛି। ତମାଖୁ, ଗୁଆ ସେବନ ଓ ଅତ୍ୟଧିକ ମଦ୍ୟପାନ ଯୋଗୁ ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଏଥିରୁ ଲୋକେ କିଭଳି ନିବୃତ୍ତ ରହିବେ ସେଥିଲାଗି ତାଙ୍କ ଟିମ୍‌ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଏହି ଭାରତୀୟ ଡାକ୍ତରଙ୍କୁ ରମନ ମାଗ୍‌ସେସେ ସମ୍ମାନ ମିଳିବ ବୋଲି ଘୋଷଣା ହେବା ପରେ ତାଙ୍କୁ ସବୁଆଡ଼ୁ ଶୁଭେଚ୍ଛା ମିଳିବାରେ ଲାଗିଛି। ତେବେ ମାଗ୍‌ସେସେ ଫାଉଣ୍ଡେଶନ ତାଙ୍କ ବିଷୟରେ ଉଲ୍ଲେଖ କରିବାକୁ ଯାଇ କହିଛି ଯେ, ଡାକ୍ତର ରବି ନିଃସ୍ବାର୍ଥପର ଭାବେ ଯେଉଁ ଜନକଲ୍ୟାଣକାରୀ ସେବା କରୁଛନ୍ତି ସେଥିପାଇଁ ସେ ଅନେକ ନିୟୁତଙ୍କ ଲାଗି ଆଶାର ଆଲୋକବର୍ତ୍ତିକା ପାଲଟି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri