Categories: ଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ରେକର୍ଡ ଭଲ ରହିଛି

ବର୍ମିଂହାମ,୧୦।୭(ପି.ଟି.)- ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟେଲିଆ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ପରସ୍ପରକୁ ଭେଟିବେ। ଗତ ୪ ବର୍ଷରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି। ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆଠାରୁ ଇଂଲଣ୍ଡ ପରାସ୍ତ ହୋଇଥିଲା। ଫଳରେ ସେମିରେ ଏହି ପରାଜୟର ପ୍ରତିଶୋଧ ନେବୁ ବୋଲି ଇଂଲଣ୍ଡ ତାରକା ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ କହିଛନ୍ତି। ଲଡର୍‌ସରେ ଗତମାସରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ଆୟୋଜକ ଇଂଲଣ୍ଡ ବୃହତ୍‌ ୬୪ ରନରେ ପରାସ୍ତ ହୋଇଥିଲା। ଫଳରେ ଇଂଲଣ୍ଡର ସେମିଫାଇନାଲ ଆଶା ବିପଦରେ ପଡିଥିଲା। ତେବେ ଏହାପରେ ଭାରତ ଓ ନ୍ୟୁଜିଲାଣ୍ଡକୁ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ପରାସ୍ତ କରି ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଥିଲା। ବିଶ୍ୱର ୧ ନମ୍ବର ଦିନିକିଆ ଦଳ ଇଂଲଣ୍ଡ ୧୯୯୨ ପରେ ପ୍ରଥମଥର ପାଇଁ ସେମି ଟିକେଟ ହାସଲ କରିଥିଲା। ଅଭ୍ୟାସ ମ୍ୟାଚ୍‌ ସହ ଇଂଲଣ୍ଡ ଗତ ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ହାରିଥିଲା। ତେବେ ଏହାପୂର୍ବରୁ ଘରୋଇ ମାଟିରେ ଇଂଲଣ୍ଡ ୫-୦ରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ ମୂଳପୋଛ କରିଥିଲା। ଗତ ୧୧ଟି ମ୍ୟାଚ୍‌ରୁ ଇଂଲଣ୍ଡ ୯ଟିରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ କ୍ରିକେଟରମାନେ ବେଶ୍‌ ସକାରାତ୍ମକ ଖେଳ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡର ଆତ୍ମବିଶ୍ୱାସ ବେଶ୍‌ ଉଚ୍ଚରେ ରହିଛି। ବିଗତ ଦିନରେ ଆମେ ଅଷ୍ଟ୍ରେଲିଆକୁ ହରାଇଛୁ ଓ ଏହାକୁ ଗୁରୁବାର ଦୋହରାଇବୁ ବୋଲି ରୁଟ୍‌ କହିଛନ୍ତି। ଆଘାତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ଓପନ ଜାସନ ରୟ ଚମତ୍କାର ପ୍ରଦର୍ଶନ କରୁଛନ୍ତି ଓ ସେ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ ବୋଲି ରୁଟ୍‌ ଆଶାପ୍ରକାଶ କରିଛନ୍ତି। ଗତ ଦୁଇଟି ମ୍ୟାଚ୍‌ରେ ମଧ୍ୟ ଆମେ ଚାପର ସମ୍ମୁଖୀନ ହୋଇଥିଲୁ ଓ ନକ୍‌ଆଉଟ ପରିସ୍ଥିତିର ସମ୍ମୁଖୀନ ହୋଇଥିଲୁ। କେଉଁ ଦଳ ଫେଭରାଇଟ ତାହା ଗୁରୁତ୍ୱପୂର୍ଣ୍ଣ ନୁହଁ। ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ କେଉଁ ଦଳ ଭଲ ଖେଳୁଛି ତାହା ସବୁକିଛି। ଗତ ଦୁଇଟି ମ୍ୟାଚ୍‌ରେ ଆମେ ଏହା ପ୍ରମାଣ କରିଛୁ।
ଦୁଇ ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଜାସନ ବେହରନଡୋର୍ଫ ଦମ୍‌ଦାର ପ୍ରଦର୍ଶନ କରି ଇଂଲଣ୍ଡର ପରାଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ପରାଜୟରୁ ଆମେ ବହୁତ କିଛି ଶିକ୍ଷା କରିଛୁ ବୋଲି ରୁଟ୍‌ କହିଛନ୍ତି। ନୂଆ ବଲ୍‌ରେ ଏହି ଦୁଇ ବୋଲର ଉଚ୍ଚକୋଟୀର ବୋଲିଂ କରିଥିଲେ। ଭଲ ଆରମ୍ଭ କଲେ ଆମେ ଅଷ୍ଟ୍ରେଲିଆ ଉପରେ ଚାପ ପ୍ରାୟୋଗ କରିପାରିବୁ। ବାମହାତୀ ବୋଲରଙ୍କୁ ସାହସର ସହ ସମ୍ମୁଖୀନ ହେବା ଆବଶ୍ୟକ। ଚାପ ଥିଲେ ମଧ୍ୟ ଏହାକୁ ସଫଳତାର ସହ ମୁକାବିଲା କରିବୁ। ଚାପ ପରୋକ୍ଷରେ ଆମକୁ ଶକ୍ତିଶାଳୀ କରାଇବ। ବିଜୟୀ ଫାଇନାଲରେ ପ୍ରବେଶ କରିବାକୁ ସବୁମତେ ଚେଷ୍ଟା କରିବୁ ବୋଲି ରୁଟ୍‌ କହିଛନ୍ତି।

Share