ଅଂଶୁଘାତରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ବେଗୁନିଆପଡା,୧୨।୬(ଡି.ଏନ୍‌.ଏ.)- କ୍ଷେତ୍ର ପରିଦର୍ଶନ କରି ଫେରୁଥିବାବେଳେ ବୁଧବାର ବେଗୁନିଆପଡା ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ହୋତାଙ୍କ ମୃତ୍ୟୁ ଘଟିଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ।
ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରେ କନିଷ୍ଠ ଯନ୍ତ୍ରୀ ହୋତା ତାଙ୍କ ଦାୟିତ୍ୱରେ ଥିବା କୁମ୍ଭାରଗଁା ପଞ୍ଚାୟତକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ କାମ ସାରି ବାଇକ ଯୋଗେ ବ୍ଲକକୁ ଫେରୁଥିବାବେଳେ ଅଙ୍ଗାର ଗାଁ ନିକଟରେ ପଡି ଯାଇଥିଲେ ଓ ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୁମଣ୍ଡଳ ମେଡିକାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ମେଡିକାଲରେ ପହଞ୍ଚତ୍ବା ପୂର୍ବରୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। କନିଷ୍ଠ ଯନ୍ତ୍ରୀ ହୋତା ୨ ବର୍ଷ ହେବ ବେଗୁନିଆପଡା ବ୍ଲକରେ କାମ କରୁଥିଲେ। ତାଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ଘରେ ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି। ବୁଧବାର ବେଗୁନିଆପହାରେ ତାପମାତ୍ରା ୩୯ ଡିଗ୍ରୀ ଥିବାବେଳେ ପ୍ରବଳ ଗରମ ଅନୁଭୂତ ହେଉଥିଲା। ତେଣୁ ଅଶୁଂଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତାଙ୍କ ମୃତ୍ୟୁରେ ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା, ବିଡିଓ ଅରୁଣ କୁମାର ମଲ୍ଲିକଙ୍କ ସହ ସହକାରୀ ଯନ୍ତ୍ରୀ ଓ ସମସ୍ତ କନିଷ୍ଠ ଯନ୍ତ୍ରୀ, ବ୍ଲକ କର୍ମଚାରୀ ଶୋକ ପ୍ରକାଶ କରିଛନ୍ତି।