ଅଲ୍‌ ଓଡ଼ିଶା ବାର୍‌ ଆସୋସିଏଶନ ବୈଠକ: ଯୋଗଦେଲେ ୯୩ ବାର୍‌ ଆସୋସିଏଶନ କର୍ମକର୍ତ୍ତା

କଟକ ଅଫିସ, ୧୯ା୧୦: ରାଜ୍ୟର ବିଭିନ୍ନ ଅଦାଲତରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ, ହାଇକୋର୍ଟ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାକୁ ନେଇ ଶୁକ୍ରବାର ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ଅଲ୍‌ ଓଡ଼ିଶା ବାର୍‌ ଆସୋସିଏଶନର ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ୧୪୬ ବାର୍‌ ଆସୋସିଏଶନ ମଧ୍ୟରୁ ୯୩ଟିର କର୍ମକର୍ତ୍ତା ଯୋଗଦେଇଥିଲେ। ବାର୍‌ ଆସୋସିଏଶନଗୁଡ଼ିକ ପକ୍ଷରୁ ବିଭିନ୍ନ ସମୟରେ କୋର୍ଟ ବର୍ଜନ ଆନ୍ଦୋଳନ କରାଯାଉଥିବାରୁ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ଗତ ୧୫ତାରିଖରେ ହାଇକୋର୍ଟଙ୍କ ଫୁଲ୍‌ ବେଞ୍ଚ ବସି ଏହି ମାମଲାରେ ୬୮ ବାର୍‌ ଆସୋସିଏଶନ ସମେତ ୧୩୬ ପ୍ରତିପକ୍ଷଙ୍କୁ ନୋଟିସ କରିଥିଲେ। ଏହି ମାମଲାର ପରିଚାଳନା ପାଇଁ ହାଇକୋର୍ଟ ବାର୍‌ ଆସୋସିଏଶନର କେତେଜଣ ବରିଷ୍ଠ ଆଇନଜୀବୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଆସନ୍ତା ୨୧ତାରିଖରେ ଉକ୍ତ ମାମଲାର ଜବାବ ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ବିଚାରପତି ପଦବୀଗୁଡ଼ିକ ପୂରଣ ପାଇଁ ସରକାରଙ୍କ ନିକଟରେ ଦାବି କରାଯିବ। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ରାଜ୍ୟବାପୀ ବଡ଼ ଆନ୍ଦୋଳନ କରାଯିବ। ଅନ୍ୟପକ୍ଷରେ ହାଇକୋର୍ଟ ବାର୍‌ ଆସୋସିଏଶନର କୋର୍ଟ ବର୍ଜନ ଆନ୍ଦୋଳନ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଜାରି ରହିବ। ହାଇକୋର୍ଟ ସହ କଟକ ସହରର ବିଭିନ୍ନ ଅଦାଲତରେ ମଧ୍ୟ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ପାଦକ ସଞ୍ଜୟ କୁମାର ଦାସ, ସହ ସମ୍ପାଦିକା ପଦ୍ମାଳୟା ମହାପାତ୍ର, ଆକ୍ସନ କମିଟି ସଦସ୍ୟ ଗଣେଶ୍ୱର ରଥ, ଗଙ୍ଗାଧର ତ୍ରିପାଠୀ, ଅଶୋକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।