ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ଯୋରନ୍ଦା

ଢେଙ୍କାନାଳ ଅଫିସ, ୮।୨ – ମନରେ ନ ଥିଲା ବର୍ଷା ଭୟ। ଖାତିର ନ ଥିଲା କୋହଲା ପାଗକୁ। ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣର ଭାବ ନେଇ ଏକାଠି ହୋଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଅଲେଖ ମହିମା ଧ୍ୱନିରେ ଫାଟି ପଡୁଥିଲା ସମଗ୍ର ଅଞ୍ଚଳ। ଢେଙ୍କାନାଳ ଜିଲାର ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ମହିମା ଗାଦିରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ମାଘମେଳାର ଏପରି ଦୃଶ୍ୟ ହିଁ ଦର୍ଶାଉଥିଲା ମହିମା ଗୋସାଇଁଙ୍କ ପ୍ରତି ଥିବା ଆକୁଣ୍ଠ ବିଶ୍ୱାସକୁ। ପ୍ରଥମ ଦିବସରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ବିଶ୍ୱ କଲ୍ୟାଣ ମନ୍ତ୍ରରେ ସଭିଏଁ ହୋଇଉଠିଥିଲେ ଏକାକାର।


ପବିତ୍ର ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ ସମୟନିର୍ଘଣ୍ଟ ଅନୁଯାୟୀ ଶୁକ୍ରବାର ପ୍ରାତଃ ସମୟରୁ ଶୂନ୍ୟପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ସାଧୁସନ୍ଥମାନେ ୬୨ ମୁଠା ରୁପା ପହଁରାରେ ଛେରାପହଁରା କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଚାମର ସେବା। ପର୍ଯ୍ୟାୟକ୍ରମେ ୫ ମୁଠା ସୁନା ଚାମର ଏବଂ ୬୦ମୁଠା ଚାମରରେ ମନ୍ଦିର ପରିକ୍ରମା ପରେ ଏହି ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଭକ୍ତମାନେ ଶରଣ ଦର୍ଶନ କରିଥିଲେ। ନାମ ଭଜନ, ଖଞ୍ଜଣି ବାଦନ, ସଂକୀର୍ତ୍ତନରେ ପୀଠ ପରିସର ପ୍ରକମ୍ପିତ ହୋଇଉଠିଥିଲା। ଅପରାହ୍ନ ୫ଟା ୧୫ରେ ଗାଦିମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯାଇଥିଲା। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମହିମା ସନ୍ନ୍ୟାସୀମାନେ ପ୍ରାର୍ଥନା କରିଥିଲେ। ହୁଳହୁଳି, ଅଲେଖ ମହିମା ଧ୍ୱନିରେ କମ୍ପି ଉଠିଥିଲା ପୀଠ। ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ପକ୍ଷରୁ ସାଧୁ ନିତ୍ୟାନନ୍ଦ ବାବା, କୌପୀନଧାରୀ ମହିମା ସମାଜର ରଘୁନାଥ ବାବା, ଅବିନାଶୀ ବାବା ପ୍ରମୁଖ ବରିଷ୍ଠ ସନ୍ନ୍ୟାସୀମାନେ ଉପାସନା ପୀଠରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ।
ଚଳିତବର୍ଷ ଫ୍ରାନ୍ସ ସମେତ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ମେଳାରେ ସମାଗମ ହୋଇଛି। ଉଠା ଦୋକାନୀମାନେ ରାସ୍ତାର ଦୁଇପାର୍ଶ୍ୱରେ ପସରା ମେଲାଇଛନ୍ତି। ବିଭିନ୍ନ ଦୋଳି ସାଙ୍ଗକୁ ଯାତ୍ରାପାର୍ଟି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଏସ୍‌ପି ଅନୁପମା ଜେମ୍ସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାପକ ଆଲୋକୀକରଣ ସହ ପାର୍କିଂର ସୁବ୍ୟବସ୍ଥା କରାଯାଇଥିବା ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri