ଅଲାରନାଥଙ୍କ ଚାପ ବନ୍ଦ: ଚୈତନ୍ୟ ଚକଡ଼ାରେ ହେବ ଚନ୍ଦନ ଯାତ୍ରା

ବ୍ରହ୍ମଗିରି,୨୬।୪(ଡି.ଏନ୍‌.ଏ): ମହାମାରୀ କରୋନା ଯୋଗୁ ପ୍ରଭୁ ଅଲାରନାଥ ଦେବଙ୍କ ଚନ୍ଦନ ଯାତ୍ରା ଓ ଚାପଖେଳ ଉପରେ ପ୍ରଶାସନ ନିଷ୍ପତ୍ତି ବଦଳାଇଛି। ସାମାଜିକ ଦୂରତା ରକ୍ଷା ସହ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଚନ୍ଦନ ପୋଖରୀରେ ହେବାକୁ ଥିବା ଚାପ ଉପରେ ପୁନର୍ବାର ରୋକ ଲଗାଯାଇଛି। ମନ୍ଦିର ପରିସରସ୍ଥ ଚୈତନ୍ୟ ଚକଡ଼ାରେ ଚନ୍ଦନ ଯାତ୍ରା ହେବ। ଏ ନେଇ ଶନିବାର ମନ୍ଦିରର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ତଥା ତହସିଲଦାର କିଶୋରଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଏଥର ଚାପଯାତ୍ରା ବନ୍ଦ ରହିବ। ଅକ୍ଷୟତୃତୀୟାରେ ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ହେବା ସହିତ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାକୁ ବାହୁ ବିଜେ କରାଯାଇ ବେଢା ପରିକ୍ରମା କରାଯିବ। ଚୈତନ୍ୟ ଚକଡ଼ାରେ ନିର୍ମିତ ଚନ୍ଦନ କୁଣ୍ଡରେ ଶ୍ରୀଜୀଉମାନଙ୍କର ସ୍ନାନାଦି ଓ ନୀତିକାନ୍ତି ସମ୍ପନ୍ନ ହେବ ବୋଲି ବୈଠକରେ ସ୍ଥିର ହୋଇଛି। ଏହି ବୈଠକରେ ସେବାୟତ ନିଯୋଗର ନାରାୟଣ ପୂଜାପଣ୍ଡା, ଶିବ ସୁଆର, ମଧୁସୂଦନ ପୂଜାପଣ୍ଡା, ଜଗମୋହନ ସୁଆର, ନୀଳମଣି ସୁଆର, ସୁକାନ୍ତ ସୁଆର ପ୍ରମୁଖ ଉପସ୍ଥିତ ଥିଲେ।