ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ୍‌ ଋଣ ଠକେଇ: ୧୭ବର୍ଷ ପରେ ଆଉ ଜଣେ ଗିରଫ, ଜେଲ୍‌ ଗଲେ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ): ଜାଲ୍‌ କାଗଜପତ୍ର ମାଧ୍ୟମରେ ବ୍ୟାଙ୍କରୁ ଋଣ ନେଇ ପରବର୍ତ୍ତୀ ସମୟରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତଙ୍କୁ ୧୭ବର୍ଷ ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବୁଧବାର ଗିରଫ କରିଛି। ସେ ହେଲେ ଢେଙ୍କାନାଳ ଜିଲା ଗନ୍ଦିଆ ଥାନା ଅଧୀନ କୁସୁମ ତଳିଆ ଅଞ୍ଚଳର ବୁଦ୍ଧିମନ୍ତ ସାହୁ।
ସୂଚନାନୁସାରେ, ୧୯୯୫ରୁ ୨୦୦୧ ମଧ୍ୟରେ ଢେଙ୍କାନାଳସ୍ଥିତ ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ୍‌ରୁ ୨୦ ଜଣଙ୍କୁ ୯୪.୪୨ ଲକ୍ଷ ଟଙ୍କା ଋଣ ଦିଆଯାଇଥିଲା। ବ୍ୟାଙ୍କର ତତ୍‌କାଳୀନ ସଭାପତି, ସମ୍ପାଦକ ଓ ନିର୍ଦ୍ଦେଶକଙ୍କ ଅନୁମୋଦନକ୍ରମେ ଏହି ଋଣ ମିଳିଥିଲା। ହେଲେ ପରବର୍ତ୍ତୀ ସମୟରେ ଋଣ ପରିଶୋଧ ନ ହେବାରୁ ୨୦୧୬ ସୁଦ୍ଧା ସୁଧକୁ ମିଶାଇ ଏହାର ପରିମାଣ ୩.୬୩ କୋଟିରେ ପହଞ୍ଚତ୍ଥିଲା। ଏନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହେବା ପରେ ତତ୍‌କାଳୀନ ଡିଏସ୍‌ପି ଗଣେଶଚନ୍ଦ୍ର ପ୍ରଧାନ ୧୧/୧୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଜାଲ୍‌ କାଗଜପତ୍ରମାଧ୍ୟମରେ ଋଣ ନିଆଯାଇଥିବା ଜଣାପଡିଥିଲା। ପରେ ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ତତ୍‌କାଳୀନ ବ୍ୟାଙ୍କ ସଭାପତି ସୁକାନ୍ତ ମିଶ୍ର, ସମ୍ପାଦକ ନିରଞ୍ଜନ କର ଓ ନିର୍ଦ୍ଦେଶକ ଭାରତ ଚନ୍ଦ୍ର ସାମଲ ଏବଂ ପଞ୍ଚାନନ ସ୍ବାଇଁଙ୍କ ସହ ୯ଜଣ ଋଣ ଗ୍ରହୀତାଙ୍କୁ ଗିରଫ କରାଯାଇଥିଲା।
ଅଭିଯୁକ୍ତ ବୁଦ୍ଧିମନ୍ତ ଜାଲ କାଗଜପତ୍ରରେ ବ୍ୟାଙ୍କ କର୍ମମର୍ତ୍ତାଙ୍କୁ ହାତେଇ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ। ଋଣ ଟଙ୍କା ନ ଶୁଝିବାରୁ ୨୦୧୮ ସୁଦ୍ଧା ତାହା ବୃଦ୍ଧି ପାଇ ୧୦.୯୭ ଲକ୍ଷ ଟଙ୍କାରେ ପହଞ୍ଚତ୍ଥିଲା। ବୁଧବାର ଢେଙ୍କାନଳ ଅଞ୍ଚଳରେ ପୋଲିସ ଚଢାଉ କରି ଅଭିଯୁକ୍ତ ବୁଦ୍ଧମନ୍ତଙ୍କୁ ଗିରଫ ପରେ ତାଙ୍କୁ ଢେଙ୍କାନାଳ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭରାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।