ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ରାତିରେ ତ୍ରିରଙ୍ଗା ଉଡିବା ଘଟଣା

ଜୁନାଗଡ,୨୭।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ଗତ ୧୫ ତାରିଖ ସ୍ବାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ଉକ୍ତ ଘଟଣାରେ ସମ୍ପୃକ୍ତା ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ଅନ୍ତର୍ଲା ଗ୍ରାମବାସୀ କଳାହାଣ୍ଡି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଏ ବିଷୟରେ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ସମ୍ପୃକ୍ତା ପ୍ରଧାନଶିକ୍ଷୟିତ୍ରୀ ସ୍କୁଲରେ ରହିବା ଦିନଠୁ ପାଠପଢା ଠିକ ହେଉ ନ ଥିବା ଓ ମଧ୍ୟାହ୍ନଭୋଜନ ପରିଚାଳାନରେ ଅନିୟମିତତା କରୁଥିବା ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଦାବିପତ୍ରର ଏକ ନକଳ ଶିକ୍ଷା ମନ୍ତ୍ରୀ, ଜିଲା ଶିକ୍ଷା ଅଧିକାରୀ, ଧର୍ମଗଡ ଉପଜିଲାପାଳ, ଜୁନାଗଡ ବିଡିଓ, ବିଇଓଙ୍କୁ ମଧ୍ୟ ପ୍ରେରଣ କରାଯାଇଛି।
ସୂଚନାଯୋଗ୍ୟ ଯେ, ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ଗତ ୧୫ ତାରିଖ ଗୁରୁବାର ସ୍ବାଧୀନତା ଦିବସରେ ଜାତୀୟ ପତାକା ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହିନତା ତଥା ଅବହେଳା ଯୋଗୁ ଏଠାରେ ଅଧ ରାତି ଯାଏଁ ଉଡିଥିବା ଅଭିଯୋଗ ହୋଇଥିଲା। ଏହା ଜଣାପଡିବା ପରେ ସ୍କୁଲ କର୍ତ୍ତୃପକ୍ଷ ତରବରିଆ ଭାବେ ରାତି ଅଧରେ ପତାକାକୁ ବାହାର କରି ଦିଆଯାଇଥିଲା। ଏହି ଘଟଣା ସମ୍ପର୍କରେ ପ୍ରଥମେ ‘ଧରିତ୍ରୀ’ରେ ଗତ ୧୮ ତାରିଖ ଏକ ରିପୋର୍ଟ ପ୍ରକାଶ ହୋଇଥିଲା। ଏହା ପରେ ଜୁନାଗଡ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏବିଇଓ ନାରାୟଣ ମେହେର ଗତ ୨୨ ତାରିଖ ଘଟଣାର ତଦନ୍ତ ପାଇଁ ସ୍କୁଲକୁ ଯାଇଥିଲେ। ଏବିଇଓ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ, ପରିଚାଳନା କମିଟି, ସ୍ଥାନୀୟ ସହକାରୀ ଶିକ୍ଷକ ଓ ଗ୍ରାମବାସୀଙ୍କ ମତାମତ ନେଇଥିଲେ। ସ୍କୁଲ କାର୍ଯ୍ୟରତ ସ୍ଥାନୀୟ ସହକାରୀ ଶିକ୍ଷକ ରାତି ୮ଟା ୩୦ ଯାଏଁ ସ୍କୁଲ ପରିସରରେ ପତାକା ଉଡୁଥିବା ଦେଖିଥିବା କହିଥିବା ବେଳେ ଗ୍ରାମବାସୀ ମଧ୍ୟ ଏହି କଥାକୁ ଏବିଇଓଙ୍କ ଆଗରେ ସ୍ବୀକାର କରିଥିଲେ। ତଦନ୍ତ ରିପୋର୍ଟ ସୋମବାର ଜିଲା ଶିକ୍ଷାଧିକାରୀଙ୍କୁ ଦେଇଥିବା ସେ ପ୍ରକାଶ କରିଥିଲେ। ଘଟଣାର ଇତି ମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହଁି। ଶିକ୍ଷା ବିଭାଗ ଏହି ଘଟଣାରେ ସମ୍ପୃକ୍ତା ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘଣ୍ଟ ଘୋଡୋଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ କଳାହାଣ୍ଡି ଜିଲାପାଳ ଡା.ପରାଗ ହର୍ଷଦ ଗାଭାଲିଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।