ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମକୁ ଏସ୍‌ଏଚ୍‌ଜି ମହିଳାଙ୍କ ବିରୋଧ

ବେତନଟୀ, ୧୦ା୬(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ଋଣ ଗ୍ରହୀତାମାନଙ୍କୁ ଅଗଷ୍ଟମାସ ପର୍ଯ୍ୟନ୍ତ ଋଣ କିସ୍ତି ପୈଠ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି ନିୟମକୁ କେତେକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଉଲ୍ଲଂଘନ କରୁଥିତ୍ବା ଏସ୍‌ଏଚ୍‌ଜି ଗ୍ରୁପ୍‌ର ମହିଳାମାନେ ଅଭିଯୋଗ କରିଛନ୍ତି। ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ବେତନଟୀ ପଞ୍ଚାୟତର ଇନ୍ଦିରା ନଗର ବସ୍ତିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅର୍ଥ ଲଗାଣକାରୀ ସଂସ୍ଥାର ଏଭଳି ଜୁଲମ୍‌କୁ ମହିଳାମାନେ ବିରୋଧ କରିଛନ୍ତି।
ବେତନଟୀ ଅଞ୍ଚଳରେ ବହୁ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ମହିଳାମାନଙ୍କୁ ଋଣ ପ୍ରଦାନ କରିଛନ୍ତି। କରୋନା ଲକ୍‌ଡାଉନ୍‌ ପାଇଁ ରୋଜଗାର ହରାଇ ହାତବାନ୍ଧି ବସି ରହିବା କାରଣରୁ ଏହି ସମୟ ମଧ୍ୟରେ ଋଣ କିସ୍ତି ଦେବା ପାଇଁ ଋଣ ଗ୍ରହୀତାମାନେ ଅକ୍ଷମତା ପ୍ରକାଶ କରୁଛନ୍ତି। ସ୍ବାଭାବିକ ଅବସ୍ଥା ଫେରିଲେ ପରବର୍ତ୍ତୀ ସମୟରେ ଋଣ କିସ୍ତି ପ୍ରଦାନ କରିବେ ବୋଲି ମହିଳାମାନେ କହୁଥିଲେ ମଧ୍ୟ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ଏଥିପ୍ରତି କର୍ଣ୍ଣପାତ ନ କରି ଋଣ ଆଦାୟର ଚାପ ଦେଉଛନ୍ତି। ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଯେଉଁ ଋଣ ଗ୍ରହୀତାମାନେ କିସ୍ତି ଦେବେ ନାହିଁ ସେମାନଙ୍କୁ ପରବର୍ତ୍ତୀ କିସ୍ତି ପାଇଁ ଅଧିକ ସୁଧ ସହ ମୂଳ କିସ୍ତି ପ୍ରଦାନ କରିବା ପାଇଁ ପଡ଼ିବ ବୋଲି ସଂସ୍ଥାର କର୍ମଚାରୀମାନେ ଚେତାବନୀ ଦେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି।