Categories: ରାଜ୍ୟ

ଅର୍ଥନୈତିକ ସର୍ଭେ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶକୁ ନେଇ ବିଧାନସଭାରେ ଉଦ୍‌ବେଗ: ସରକାରଙ୍କ କୈଫିୟତ ତଲବ କଲେ ବିରୋଧୀ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୧୮ ସୋସିଆଲ ମିଡିଆରେ ବୁଲୁଛି, ଖବରକାଗଜରେ ପ୍ରକାଶ ପାଇଛି। ହେଲେ ବିଧାୟକମାନଙ୍କୁ ଏପର୍ଯ୍ୟନ୍ତ ଦିଆଗଲା ନାହିଁ। ସରକାରୀ ବିଭାଗର ଓ୍ବେବ୍‌ସାଇଟ୍‌, ଗଣମାଧ୍ୟମ ଏବଂ ସୋସିଆଲମିଡିଆକୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଗଲା କେମେିତି? ବଜେଟ ଆଗତ ହେବାର ୨୪ ଘଣ୍ଟା ପୂର୍ବରୁ ଗୃହରେ ସରକାର ଏହି ରିପୋର୍ଟକୁ ଉଲ୍ଲେଖ କରିବା ସହିତ ବିଧାୟକମାନଙ୍କୁ ଦେବା କଥା। ମାତ୍ର ଏ ପର୍ଯ୍ୟନ୍ତ ମିଳିଲା ନାହିଁ। ବିଧାୟକଙ୍କୁ ଦିଆଯାଉ ନାହିଁ, କିନ୍ତୁ ବଜାରରେ ରିପୋର୍ଟ ବୁଲୁଛି। ଏହାର ଜବାବ ବିଭାଗୀୟ ମନ୍ତ୍ରୀ ଗୃହରେ ଦିଅନ୍ତୁ। ବିରୋଧୀ ଦଳର ସଦସ୍ୟମାନେ ଏହାକୁ ନେଇ ବିଧାନସଭାର ଶୁକ୍ରବାର ଶୂନ୍ୟ କାଳରେ ପ୍ରବଳ ପାଟିତୁଣ୍ଡ କରିଛନ୍ତି। ଭାଜପା ସଭ୍ୟ ମୋହନ ମାଝି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ଏ ପର୍ଯ୍ୟନ୍ତ ବିରୋଧୀ ଦଳ ନେତାଙ୍କ ପାଖକୁ ଆସିଲା ନାହିଁ। ୨୪ ଘଣ୍ଟା ପୂର୍ବରୁ ଏହାକୁ ଗୃହରେ ଉପସ୍ଥାପନ କରିବା କଥା। ଗୃହର ପରମ୍ପରା ଭଙ୍ଗ ହୋଇଛି। ରାଜ୍ୟ ସରକାର ଏହାର ଜବାବ ଦିଅନ୍ତୁ ବୋଲି ସେ କହିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଅର୍ଥନୈତିକ ସର୍ଭେ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ଓ ବିଧାୟକଙ୍କୁ ନ ମିଳିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏ ନେଇ ବାଚସ୍ପତି ରୁଲିଂ ଦିଅନ୍ତୁ। ବିଭାଗୀୟ ମନ୍ତ୍ରୀ ଗୃହରେ ଏହାର ଜବାବ ରଖନ୍ତୁ ବୋଲି ସେ ଦାବି କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭାଜପା ସଭ୍ୟ ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ସିଂହ , ମୁକେଶ ମହାଲି, ଖୁଣ୍ଟିଆ, କୁସୁମ ଟେଟେ, ସୁଭାଷ ପାଣିଗ୍ରାହୀ, ବିଜେଡି ସଭ୍ୟ କିଶୋର ଚନ୍ଦ୍ର ନାୟକ, ମଦନ ମୋହନ ଦତ୍ତ, ପ୍ରଫୁଲ୍ଳ ସାମଲ, ଶୌଭିକ ବିଶ୍ୱାଳ, ରମେଶ ଚନ୍ଦ୍ର ପରିଜା, ସୁଧାଂଶୁ ଶେଖର ପରିଡ଼ା, ମୁକେଶ କୁମାର ପାଲ୍‌ ପ୍ରମୁଖ ନିଜ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନା କରିବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।