ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲା : ଆଶୀର୍ବାଦଙ୍କ ସହ ୩ଜଣଙ୍କ ବିରୋଧରେ ଚାର୍ଜଶିଟ୍‌

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇର ପ୍ରାଥମିକ ଚାର୍ଜଶିଟ୍‌ ସିବିଆଇ କୋର୍ଟରେ ଗୁରୁବାର ଦାଖଲ କରିଛି। ସିବିଆଇ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସହ ଅନ୍ୟ ଦୁଇ ଜଣଙ୍କ ନାମରେ ଏହି ଚାର୍ଜଶିଟ୍‌ ଦାଖଲ କରିଛି। ଅନ୍ୟ ଦୁଇ ଜଣ ହେଲେ ଖାରବେଳ ନଗର ଥାନା କଡରେ ଥିବା ହୋଟେଲ ସୋଲାନ ଇନ୍‌ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିବାବେଳେ କମଳାକାନ୍ତ ଓ ଆଶୀର୍ବାଦ କେବଳ ଜେରାର ସମ୍ମୁଖୀନ ହୋଇଥିଲେ। ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନୀ ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜଶିଟ୍‌ ସହ ୪ଟି ଅତିରିକ୍ତ ଚାଜଶିଟ୍‌ ଦାଖଲ କରିସାରିଛି। ୨୦୧୪ରେ ସୁପ୍ରିମ୍‌କୋଟଙ୍କ ନିର୍ଦ୍ଦେଶ ବଳରେ ସିବିଆଇ ରାଜ୍ୟରେ ଥିବା କେତେକ କମ୍ପାନୀ ଓ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।