ଅରୁଣ ଜେଟ୍‌ଲୀଙ୍କ ବିୟୋଗରେ ରାଜ୍ୟ ଭାଜପା ପକ୍ଷରୁ ଶୋକ ପ୍ରକାଶ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟ୍‌ଲୀଙ୍କର ଶନିବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ ରାଜ୍ୟ ଭାଜପା ସଭାପତି ତଥା ଏମ୍‌ପି ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ସ୍ବର୍ଗତ ଜେଟ୍‌ଲୀ ଜଣେ ଦକ୍ଷ ରାଜନେତା ଭାବେ ବେଶ ଜଣାଶୁଣା। ପୂର୍ବରୁ ସେ ଆଇନ ମନ୍ତ୍ରୀ, ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ। ୧୯୯୦ରେ ସେ ଦିଲ୍ଲୀ ହାଇକୋର୍ଟରେ ବରିଷ୍ଠ ଓକିଲ ମାନ୍ୟତା ପାଇଥିଲେ। ୧୯୯୧ରେ ଜେଟ୍‌ଲୀ ଭାଜପାର ସଦସ୍ୟତା ନେଇ ରାଜନୀତି ମଇଦାନକୁ ଓହ୍ଲାଇଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବା ଯୋଗୁ ଏମ୍ସରେ ଚିକିତ୍ସିତ ହେଉଥିଲେ।