ଅଯୋଧ୍ୟା ରାୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌: ରାୟ ଯାହା ବି ଆସୁ, ସମସ୍ତେ ସ୍ବୀକାର କରନ୍ତୁ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାରେ ଯାହା ବି ରାୟ ଆସୁ, ତାକୁ ସମସ୍ତେ ସ୍ବୀକାର କରନ୍ତୁ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଅପିଲ୍‌ କରିଛନ୍ତି। ସମସ୍ତେ ଶାନ୍ତି ଏବଂ ସଦ୍‌ଭାବନା ସହ ରୁହନ୍ତୁ। ଭାଇଚାରା ଭାବନା ଆମର ଧର୍ମନିରପେକ୍ଷତାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାର ଚୂଡ଼ାନ୍ତ ନିର୍ଦ୍ଦେଶ ପୂର୍ବରୁ ସୁପ୍ରିମକୋଟ୍‌ ଐତିହାସିକ ରାୟ ଦେଇଛନ୍ତି। ବିଭିନ୍ନ ତଥ୍ୟପ୍ରମାଣ ସହ କୋର୍ଟ ମୁସଲିମ୍‌ ପକ୍ଷ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ଅନ୍ୟତ୍ର ୫ ଏକର ଜାଗା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିବାଦୀୟ ଜମି ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମନ୍ଦିର ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଟ୍ରଷ୍ଟ ତିଆରି ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଜମିର ମାଲିକାନା ସ୍ବତ୍ୱ ଟ୍ରଷ୍ଟକୁ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛିି। କୋର୍ଟଙ୍କ ଏଭଳି ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ପରିଷ୍କାର ହୋଇଯାଇଛି।