ଅଯୋଧ୍ୟାରେ ସୋସିଆଲ୍‌ ମିଡ଼ିଆ ଉପରେ କଟକଣା: ଡିସେମ୍ବର ୨୮ ପର୍ଯ୍ୟନ୍ତ ବଳବତ୍ତର

ନୂଆଦିଲ୍ଲୀ,୪।୧୧: ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ ଆସନ୍ତା ଡିସେମ୍ବର ୨୮ ପର୍ଯ୍ୟନ୍ତ ସୋସିଆଲ୍‌ ମିଡ଼ିଆ ଉପରେ କଟକଣା ଜାରି କରାଯାଇଛି। କୌଣସି ପ୍ରକାର ବିଭ୍ରାନ୍ତିକର, ଆପତ୍ତିଜନକ ଏବଂ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ନ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଜିଲାପାଳ ଅନୁଜ କୁମାର ଝା ଏନେଇ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୪୪ ଅନ୍ତର୍ଗତ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ହ୍ବାଟସ୍‌ ଆପ୍‌, ଇନଷ୍ଟାଗ୍ରାମ୍‌, ଟୁଇଟର ଏବଂ ଟେଲିଗ୍ରାମ୍‌ ଆଦି ସୋସିଆଲ୍‌ ମିଡିଆରେ କୋଣସି ବ୍ୟକ୍ତି ବିଶେଷଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ବାରଣ କରାଯାଇଛି। ସେହିପରି ବୈଦ୍ୟୁତିକ ଗଣମାଧ୍ୟମରେ ଅଯୋଧ୍ୟା ମାମଲା ସମ୍ପର୍କିତ କୌଣସି ଆଲୋଚନା ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହାର ଅବମାନନା କଲେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୮୮ ଅର୍ନ୍ତଗତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଜାରି ହୋଇତତ୍ବା ନିର୍ଦ୍ଦେଶରେ ସୂଚିତ କରାଯାଇଛି।

Share