ଅମ୍ଫନ୍‌ ପ୍ରଭାବ, ଗୋପାଳପୁର ବେଳାଭୂମି ଅଶାନ୍ତ

ଗୋପାଳପୁର,୧୯ା୫(ଡି.ଏନ୍‌.ଏ.)- ଅମ୍ଫନ୍‌ ପ୍ରଭାବରେ ମଙ୍ଗଳବାର ଗୋପାଳପୁର ବେଳାଭୂମି ଅଶାନ୍ତ ରହିବା ସହ ବଡବଡ ଜୁଆର ଉଠିଥିଲା। ୨୪ ଘଣ୍ଟାରେ ୦.୫ ମିଲି ବର୍ଷା ରେକର୍ଡ଼ କରାଯାଇଛି। ମଙ୍ଗଳବାର ମଧ୍ୟ ରାତିରୁ ବର୍ଷା ବଢିବା ସହ ୫୫ରୁ ୬୫ କିମି ବେଗରେ ପବନ ବହିବ। ବୁଧବାର ଜିଲା ଊପକୂଳବର୍ତ୍ତୀ ଅଞ୍ଚଳରେ ସ୍ବଳ୍ପ ଧରଣର ବର୍ଷା ସମ୍ଭାବନା ଥିବା ଗୋପାଳପୁର ପାଣିପାଗ ବିଶେଷଜ୍ଞ ଏସ୍‌. କେ. ମୂର୍ତ୍ତି ସୂଚନା ଦେଇଛନ୍ତି। ଅନ୍ୟପଟେ ମତ୍ସ୍ୟଜୀବୀମାନେ ଗତ ୩ଦିନ ହେବ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଇନାହାନ୍ତି। ଡ଼ଙ୍ଗାକୁ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶାନାମା ନ ଆସିବା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଥିବା ମୂର୍ତ୍ତି କହିଛନ୍ତି।