‘ଅମ୍ଫନ୍‌’ ପାଇଁ ୨ ସଚିବଙ୍କ ବଦଳି ସ୍ଥଗିତ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ ଆସନ୍ତା ୨୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏନେଇ ଓଡ଼ିଶାର ୧୨ଟି ଜିଲାକୁ ସତର୍କ କରାଯାଇଛି। ଏଭଳି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଗତ ୧୩ ତାରିଖରେ ରାଜ୍ୟ ସରକାର ନେଇଥିବା ୨ସଚିବଙ୍କ ବଦଳିକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ସେହିପରି ଶକ୍ତି ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଭାବେ ବଦଳି କରିଥିଲେ। ମାତ୍ର ବାତ୍ୟା ‘ଅମ୍ଫନ୍‌’କୁ ଦୃଷ୍ଟିରେ ରଖି ନିକୁଞ୍ଜ ଧଳ ଏବଂ ବିଷ୍ଣୁପଦ ସେଠୀଙ୍କ ବଦଳି ନିଷ୍ପତ୍ତିକୁ ରବିବାର ସରକାର ସ୍ଥଗିତ ରଖିଛନ୍ତି।