ଅମ୍ଫନ୍‌ରେ ୪୫ ଲକ୍ଷ ଲୋକ ପ୍ରଭାବିତ: ଏନ୍‌ସିଏମ୍‌ସିକୁ ସୂଚନା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ଅମ୍ଫନ୍‌ରେ ରାଜ୍ୟର ୧୫୦୦ ପଞ୍ଚାୟତର ୪୪.୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟା ପ୍ରଭାବରେ ପ୍ରାୟ ୧ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଭିଡିଓ କନ୍‌ଫରେନ୍ସରେ ଜାତୀୟ ଆପତ୍‌କାଳୀନ ପରିଚାଳନା କମିଟି(ଏନ୍‌ସିଏମ୍‌ସି) କମିଟିର ଅଧ୍ୟକ୍ଷ ତଥା କ୍ୟାବିନେଟ ସଚିବ ରାଜୀବ ଗାୈବାଙ୍କୁ ଏହି ସୂଚନା ଦେଇଛନ୍ତି। ବୁଧବାର ବାତ୍ୟା ଅମ୍ଫନ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ତାଣ୍ଡବ ରଚାଇଥିଲା। ବାତ୍ୟା କ୍ଷୟକ୍ଷତି ନେଇ କ୍ୟାବିନେଟ ସଚିବ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କୃଷି ସମ୍ପର୍କିତ କ୍ଷୟକ୍ଷତି ନେଇ ଆସନ୍ତା ଦୁଇଦିନ ମଧ୍ୟରେ ଆକଳନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଏନ୍‌ସିଏମ୍‌ସିକୁ ସୂଚନା ଦେଇଥିଲେ। ଏଥିସହିତ ବାତ୍ୟା ଆସିବା ପୂର୍ବରୁ ରାଜ୍ୟର ୮୯ଟି ବ୍ଲକର ୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ବାତ୍ୟା ପରେ ୮୦ପ୍ରତିଶତ ପ୍ରଭାବିତ ଅଞ୍ଚଳରେ ପୁନଃ ବିଦ୍ୟୁତ ସଂଯୋଗ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ବିଷୟରେ ଠିକ୍‌ ଆକଳନ କରାଯିବାରୁ ଅଧିକ ସଂଖ୍ୟାରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସମ୍ଭବ ହୋଇଥିଲା ଏବଂ କ୍ଷୟକ୍ଷତି ପରିମାଣ ମଧ୍ୟ କମ୍‌ ହୋଇଥିଲା ବୋଲି ବୈଠକରେ ସୂଚନା ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ଓ ମନ୍ତ୍ରଣାଳୟଗୁଡ଼ିକ ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ଯୋଗାଯୋଗରେ ରହି ଯଥାସମ୍ଭବ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ପ୍ରଦୀପ କୁମାର ଜେନା, ସ୍ବରାଷ୍ଟ୍ର ସଚିବ ସଞ୍ଜୀବ ଚୋପ୍ରା, କୃଷି ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂ ଏବଂ ଶକ୍ତି ବିଭାଗ ସଚିବ ବିଷ୍ଣୁ ପଦ ସେଠୀ ଯୋଗ ଦେଇଥିଲେ।