ଅମାନବୀୟ ପରମ୍ପରା

ଦ୍ୱିତୀ ଚନ୍ଦ୍ର ସାହୁ
ହେମଗିରିରୁ ଝାରସୁଗୁଡ଼ା ଫେରୁଥାଉ। ବନ୍ଧୁ ଶିବାଶିଷ ହଠାତ୍‌ ଏକ ନିଛାଟିଆ ସ୍ଥାନରେ ଗାଡ଼ିର ବ୍ରେକ୍‌ କଷିଲେ। ମୋବାଇଲ ଚାଟିଂରୁ ନଜର ହଟାଇ ଦେଖିଲି ବିଶ୍ରାମାଗାର ସାମ୍ନାରେ ଜଣେ ଝିଅ ଏକାକୀ ଠିଆହୋଇ କାନ୍ଦୁଛି। ବନ୍ଧୁ ଗାଡ଼ିରୁ ଓହ୍ଲାଇ ତା’ ନିକଟକୁ ଗଲେ। ପଛେ ପଛେ ମୁଁ। ପୂର୍ବରୁ ପରିଚିତ ସେଇ ଝିଅକୁ କାନ୍ଦିବାର କାରଣ ପଚାରିଲେ ସେ। ତା’ପରେ ସେ ଯାହା କହିଲା ମୁଁ ହତଚକିତ ହୋଇଗଲି। ଝିଅଟି କାଳେ ଉଦୁଲିଆରେ ଭିନ୍ନ ଜାତିର ପୁଅ ସହ ଚାଲିଯାଇଥିଲା। ଆଉ ତା’ର ବାପା ମରିବା ଖବର ଶୁଣି ନିଜ ଗାଁକୁ ଯାଇଥିଲା। କିନ୍ତୁ ଜାତି ଭାଇ ‘ବିସର’ କରିଦେଇଥିବାରୁ ତାକୁ ଘର ଭିତରକୁ ପୂରେଇ ଦେଲେନି କି ବାପାକୁ ଟିକେ ଛୁଇଁ ମୁଣ୍ଡିଆ ମାରିବାର ସୁଯୋଗ ଦେଲେନି। ଗାଁ ଭାଇଙ୍କ ନିକଟରେ ବହୁ କାକୁତିମିନତି ହେଲା। ତଥାପି ତାକୁ ସୁଯୋଗ ଦିଆଗଲାନି। ଶେଷରେ ନିରାଶ ହୋଇ ତାକୁ ଫେରିବାକୁ ପଡ଼ିଲା। ତାକୁ ସାନ୍ତ୍ୱନା ଦେଇ ପୁଣି ଗାଡ଼ିକୁ ଫେରିବା ପରେ କାହାଣୀକୁ ଟିକେ ଖୋଲି କହିଲେ ବନ୍ଧୁ।
ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର କିଛି ସମ୍ପ୍ରଦାୟରେ ଏବେ ବି ଅନେକ ରୂଢ଼ିବାଦୀ ପରମ୍ପରା ଚାଲୁରହିଛି। ସମାଜ ବହୁ ଆଗେଇଛି। ବହୁ ପ୍ରଥା ଓ ପରମ୍ପରା ବଦଳିଛି। କିନ୍ତୁ ଯୁଗ ସହ ତାଳ ଦେଇ ସମାଜରେ ବସା ବାନ୍ଧିଥିବା କିଛି ଅଲୋଡ଼ା ପରମ୍ପରା ଚାଲୁରହିଛି। ଜାତିର ଶୃଙ୍ଖଳା ନାମରେ ଅମାନବୀୟ ପ୍ରଥା ଚାଲୁଛି। ସେହି କ୍ରମରେ ‘ବିସର’ ହେଉଛି କାଳେ ଏମିତି ଏକ ହୃଦୟଥରା ପରମ୍ପରା। ଗଣ୍ଡ, ଭୂୟାଁ, ଗୌର, ସଉରା ଭଳି କେତେକ ସମ୍ପ୍ରଦାୟରେ ବଢ଼ିଲା ପୁଅ କି ଝିଅ ଯଦି ଭଲ ପାଇ ଅନ୍ୟ ଜାତିର ପୁଅ କିମ୍ବା ଝିଅ ସହ ଉଦଲିଆ ବିହା ହୋଇଗଲା ତ କଥା ସରିଲା। ତା’ର ପରିଣାମ ସେଇ ପୁଅ ଝିଅ ତ ଭୋଗିବେ, ତା’ ସହିତ ସେମାନଙ୍କ ପରିବାରକୁ ବି ଭୋଗିବାକୁ ପଡ଼ିବ। ସେଇ ପରିବାରକୁ ପ୍ରଥମେ ସମାଜ ବାଛନ୍ଦ କରିବ। ଜାତିରୁ ଅଛୁଆଁ ହୋଇଯିବେ ସେମାନେ। ପରିବାର ଲୋକ ‘ବିସର’ ଜରିଆରେ ଗାଁ ଭାଇଙ୍କୁ ଭୋଜିଭାତରେ ଆପ୍ୟାୟିତ କଲେ ଯାଇ ମୁକ୍ତି। ଜାତିର ପୂଜକ ଜରିଆରେ ପୂଜାପାଠ ସହ ଆମିଷ ଛୁଆଁରେ ସମ୍ପନ୍ନ ହୁଏ ପ୍ରାୟଶ୍ଚିତ୍ତ। ମୃତ ଲୋକଙ୍କ ପାଇଁ ଯାହାସବୁ ପାଳନ କରାଯାଏ ସେସବୁ ପ୍ରଥା ବଞ୍ଚିଥିବା ଲୋକଟି ପାଇଁ ମଧ୍ୟ କରାଯାଏ। କହିବାକୁ ଗଲେ ସେଇ ସନ୍ତାନକୁ ସମାଜରୁ ମୃତ ଘୋଷଣା କରାଯାଏ। ମୃତ୍ୟୁଲୋକରେ ମିଶେଇ ଦିଆଯାଏ।
‘ବିସର’ ପରେ ପରିବାର ସମାଜରେ ମିଶିଯାଏ ଅଥଚ ଘରୁ ଗୋଡ଼ ବାହାର କରିଥିବା ସନ୍ତାନ ପାଇଁ ସବୁଦିନ ଲାଗି ଘରବାହୁଡ଼ା ବାଟ ବନ୍ଦ ହୋଇଯାଏ। କୌଣସି ପରିସ୍ଥିତିରେ ସେ ଆଉ ଫେରିପାରେନା। ନିଜ ଆପଣାର ଲୋକଠାରୁ ଘର ବାହାରେ ରହି ଇତର ଲୋକ ପରି ବ୍ୟବହାର ପାଏ ସେ ସବୁକାଳେ। ଏବେ ବି ଅନେକ ଜାତି ଭିତରେ ବହୁ ପ୍ରଥା ରହିଛି ଯାହା ମାନବିକତାକୁ ହତ୍ୟା କରୁଛି। ବ୍ୟକ୍ତିଗତ ସ୍ବାଧୀନତା ନିକଟରେ ଜାତିର ସ୍ବେଚ୍ଛାଚାରିତା ଭାରି ପଡୁଛି। ନିଆଁ ପାଣିର ଡର, ଜାତି ଭାଇଙ୍କ ସହଯୋଗ ଓ ସମର୍ଥନ ହରାଇବାର ଭୟ ଜାତିବାଦକୁ ଅଧିକ ପ୍ରଶ୍ରୟ ଦେଉଥିବା ପରିତାପର ବିଷୟ। ଏଇକ୍ରମରେ ଆଉ ଏକ ତଥ୍ୟ ଯୋଡ଼ିଲେ ବନ୍ଧୁ। ଯଦି କୌଣସି କାରଣବଶତଃ ମାଳୀ ସମ୍ପ୍ରଦାୟର ଲୋକ ଅନୁସୂଚିତ ଜାତିର ଲୋକଙ୍କଠାରୁ ମାଡ଼ ଖାଇଲା ତ ଜାଣ ତା’ ମୁଣ୍ଡରେ ବି ବିପଦ ଛିଡିଲା। ମାଡ଼ ସହ ଜାତି ଭାଇର ନିର୍ଯାତନାକୁ ବି ବିଚରା ଲୋକଟିକୁ ସହିବାକୁ ହୁଏ। ସେଇ ମୁହୂର୍ତ୍ତରୁ ଉକ୍ତ ବ୍ୟକ୍ତି ଜାତିରୁ ଅଲଗା ଗଣାହେବ। ପାରମ୍ପରିକ ପ୍ରଥାରେ ପୂଜାପାଠ ସହ ଭୋଜିଭାତରେ ଆପ୍ୟାୟିତ ନ କଲା ଯାଏ ସେ ଜାତିରୁ ପୃଥକ୍‌ ରହିବାକୁ ବାଧ୍ୟ।
ଅବଶ୍ୟ ଆଜିକାଲି କେତେକ ସ୍ଥାନରେ ଜାତିପ୍ରଥା ଓ ପରମ୍ପରାକୁ ଅଣଦେଖା କରି କିଛି ପରିବାର ସାଦରେ ନିଜ ସନ୍ତାନଙ୍କ ପସନ୍ଦକୁ ସ୍ବୀକୃତି ଦେଉଛନ୍ତି। ଜାତିବାଦକୁ ନେଇ ଭୋଟ ରାଜନୀତି ଜୋର ଚାଲିଥିବାବେଳେ ଏଭଳି ଅମାନବୀୟ ପରମ୍ପରା ବିରୋଧରେ ନେତାମାନେ ନୀରବ ରହିବା ଯେମିତି ଲାଗୁଛି ଆଉ ଏକ ରାଜନୀତି। ଜାତି ନାମରେ କିଛି ମୁଣ୍ଡିଆଳ ଚଳାଇଥିବା କୋଉ ଅମଳର ଏଭଳି ପରମ୍ପରା ମାନବିକ ଅଧିକାରକୁ ଉଲ୍ଲଂଘନ କରୁଛି ସତ, ହେଲେ ସଚେତନତା ଅଭାବରୁ ଅନେକ ପୁଅଝିଅଙ୍କ ଆଖିରୁ ଲୁହ ଶୁଖୁନି। ବଞ୍ଚି ଥାଉ ଥାଉ ଶବ ପାଲଟିଯାଉଛନ୍ତି ସେମାନେ। ଜାତି ପାଇଁ ଏଇ ଜିଅନ୍ତା ଶବମାନେ ଜୀବନତମାମ ଅକଥନୀୟ ଦୁଃଖ ଓ ଯାତନାରେ ଶଢୁଛନ୍ତି ନିଜ ଭିତରେ। ବିପଦ ଆପଦରେ, ଭଲମନ୍ଦରେ କାନ୍ଧକୁ କାନ୍ଧ ମିଳେଇ ଜାତିଭାଇ ଠିଆ ହେବାର ଦୁର୍ବାର ଆଶା ଓ ସମ୍ଭାବନାରେ ଅଧିକ ସମ୍ବେଦନଶୀଳ ହୋଇ ଆମ ଦ୍ୱାରା ଗଠିତ ତଥାକଥିତ ଜାତି ଶେଷରେ ପ୍ରଥା ନାମରେ ନିଜ ଜାତିର ଲୋକଙ୍କ ପ୍ରତି କେମିତି ନିର୍ଦ୍ଦୟ ହୋଇପାରୁଛି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଗୋଟିଏ ଆଶ୍ୱାସନାର ବିଷୟ ଯେ, ଜାତିର ନିୟମକୁ ଭାଙ୍ଗୁଥିବା ଝିଅପୁଅଙ୍କର ଜିଇ ଥାଉ ଥାଉ ଶୁଦ୍ଧିକ୍ରିୟା କରାଯାଉ ପଛେ ସେମାନଙ୍କୁ ଅନର କିଲିଂର ସାମ୍‌ନା କରିବାକୁ ପଡ଼ୁନି, ଯାହା ଅନ୍ୟ କେତେକ ରାଜ୍ୟରେ ଘଟୁଛି।
ମୋ- ୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri