ଅଭିଯୋଗ ପରେ ବନ୍ଦ ହେଲା ମଦ ଦୋକାନ

ଡେରାବିଶ (ସ୍ବ.ପ୍ର.)/ ପାଟକୁରା (ଡି.ଏନ.ଏ.), ୧।୨: ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳର ବିକାଶ ନକ୍ସା ଆଙ୍କିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ ସଚିବ କେନ୍ଦ୍ରାପଡା ଜିଲାକୁ ଶୁକ୍ରବାର ଗସ୍ତ କରିଛନ୍ତି। ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି. ଏସ. କୁଟ୍ଟେ, ଅତିରିକ୍ତ ସଚିବ ରୂପା ରୋଶନ ସାହୁ, ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ୩ଟି ଟିମ୍‌ର ନେତୃତ୍ୱ ନେଇ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣ ଆଦିର ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ବରିଷ୍ଠ ଅଧିକାରୀମାନେ ପ୍ରତି ପଞ୍ଚାୟତର ବିଦ୍ୟାଳୟଗୁଡ଼ିକ ପରିଦର୍ଶନ କରିଥିଲେ।
ଏଥିସହିତ ନିର୍ବାଚିତ ଲୋକପ୍ରତିନିଧି ଓ ଅଞ୍ଚଳବାସୀଙ୍କ ସହ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଗସ୍ତ ସମୟରେ ଗରଦପୁର ବ୍ଲକ ସାନ ଅଢଙ୍ଗା ପଞ୍ଚାୟତବାସୀ ସ୍ବତନ୍ତ୍ର ସଚିବ କୁଟ୍ଟେ ଓ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଏକ ମଦ ଦୋକାନ ଖୋଲାଯିବା ନେଇ ଅଭିଯୋଗ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ, ଏହି ମଦ ଦୋକାନ ଅନ୍ୟତ୍ର ଖୋଲିବା ପାଇଁ ମଞ୍ଜୁରୀ ମିଳିଛି। ତେବେ ମଦ ଦୋକାନ ସାନଅଢ଼ଙ୍ଗା ଗ୍ରାମର ଏକ ବିଦ୍ୟାଳୟ ନିକଟରେ ଖୋଲାଯାଇଛି। ଉଭୟ ପ୍ରଶାସନିକ ଅଧିକାରୀ ଏହାର ତଦାରଖ କରି ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍‌ କରିଥିଲେ।
ସେହିପରି ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ଆର୍ତ୍ତେଶ୍ୱର ହାଇସ୍କୁଲ, ଖମୋଳ ପଞ୍ଚାୟତ ଡାଳିଜିସ୍ଥିତ ବାଗଦେବୀ ନୋଡାଲ ଉଚ୍ଚ ବିଦ୍ୟାପୀଠ ଓ ଗରଦପୁର ବ୍ଲକ କୋରୁଆ ହାଇସ୍କୁଲ ପରିସରରେ ଛାତ୍ରୀଛାତ୍ରଙ୍କ ସମସ୍ୟା ବୁଝିବା ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ। ସୂଚନାଯୋଗ୍ୟ ଯେ ଗତ ପାଟକୁରା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହି ନିର୍ବାଚନମଣ୍ଡଳୀ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଏହି ୩ ବରିଷ୍ଠ ଅଧିକାରୀ ଅଚାନକ ଜିଲା ଗସ୍ତ କରିଥିବା ଜଣାଯାଇଛି। ଏହି ଗସ୍ତ ସମୟରେ ଏଡିଏମ ବସନ୍ତ କୁମାର ରାଉତ, ପିଡି ଦିଲୀପ କୁମାର ପରିଡା, ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଜିଲା ଅଧିକାରୀ ସାମିଲ ହୋଇଥିଲେ।