ଅଭିଭାବକ, ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଜାରି: ଫିକା ପଡିଲା ସରସ୍ବତୀ ପୂଜା

ଜଳେଶ୍ୱର, ୩୧।୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିରେ ଟାଉନ୍‌ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଡିଇଓ ନିଲମ୍ବନ ଓ ବଦଳି କରିବା ନେଇ ୨ ଦିନ ଧରି ଛାତ୍ରୀଛାତ୍ର, ଅଭିଭାବକ ଓ ପୁରାତନ ଛାତ୍ରୀଛାତ୍ର ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନ ଗୁରୁବାର ୩ୟ ଦିବସରେ ପହଞ୍ଚତ୍ଛି। ପ୍ରଥମ ଦିନରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପରିସର ମଧ୍ୟରେ, ଦ୍ୱିତୀୟ ଦିନ ଛାତ୍ରୀଛାତ୍ରମାନେ ଅଭିଭାବକମାନଙ୍କ ସହିତ ଫାଟକ ବାହାରେ ଓ ୫୭ତମ ରାଜ୍ୟ ରାଜପଥ ପାର୍ଶ୍ୱରେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଆଦେଶ ଓ ବଦଳି ପ୍ରତ୍ୟାହୃତ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ପ୍ରକାଶ କରିଥିଲେ। ଗୁରୁବାର ସରସ୍ବତୀ ପୂଜା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ୮ରୁ ୧୦ ଜଣ ଛାତ୍ରୀଛାତ୍ର ଯୋଗଦେଇଥିବା ବେଳେ ଶିକ୍ଷୟତ୍ରୀଶିକ୍ଷକମାନେ ଉପସ୍ଥିତ ଥିଲେ। ଆନ୍ଦୋଳନ ଯୋଗୁ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସି ନ ଥିବା ଅଭିଭାବକମାନେ କହିଛନ୍ତି। ଗତ ବୁଧବାର ଜଳେଶ୍ୱର ବ୍ଲକ ନୋଡ଼ାଲ ଶିକ୍ଷକ ମୂରଲୀ ପ୍ରଧାନ ଓ ଓଷ୍ଟାର ଜିଲା ସମ୍ପାଦକ ମନୋରଞ୍ଜନ ଦାସ ଘଟଣାସ୍ଥଳକୁ ଯାଇ ଡିଇଓଙ୍କ ସହ ବାଲେଶ୍ୱରରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ଆନ୍ଦୋଳନ ଜାଣି ବିଧାୟକ ଅଶ୍ୱିନୀ ପାତ୍ର ବାଲେଶ୍ୱର ଡିଇଓଙ୍କ ସହ ଆଲୋଚନା କରିବା ସହ ଅତିଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।